ପାକ୍‌ ଆର୍ମି ଭାଙ୍ଗିଲା ଇମ୍ରାନଙ୍କ ଦ୍ୱିତୀୟ ପ୍ରତିଶ୍ରୁତି: ଶନିବାର ଭାରତୀୟ ଶ୍ରଦ୍ଧାଳୁ ଦେବେ ୨୦ ଡଲାର

ଇସ୍‌ଲାମାବାଦ,୮।୧୧: କରତାରପୁର ସାହିବ ଯାତ୍ରା ଆରମ୍ଭ ପାଇଁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ପାକିସ୍ତାନ ନିଜ ଷଡଯନ୍ତ୍ରରୁ ବାହାରି ପାରୁନାହିଁ। ପୁଣି ଥରେ ପାକିସ୍ତାନ ସେନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ୱିତୀୟ ପ୍ରତିଶ୍ରୁତିକୁ ଭାଙ୍ଗିଦେଇଛି। ପୂର୍ବରୁ ଇମ୍ରାନ ଘୋଷଣା କରିଥିବା ନିଷ୍ପତ୍ତିକୁ ପାକିସ୍ତାନ ସେନା ଖାରଜ କରିବା ସହ ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛି। ନଭେମ୍ବର ୯ରେ ହେବାକୁ ଥିବା କରତାରପୁର କରିଡର ଉଦ୍‌ଘାଟନି ସମାରୋହରେ ଆସିବାକୁ ଥିବା ଭାରତୀୟ ଶ୍ରଦ୍ଧାଳୁଙ୍କଠାରୁ ୨୦ ଡଲାର ନିଆଯିବ ବୋଲି ପାକିସ୍ତାନ ସେନା ଘୋଷଣା କରିଛି। ଏହା ପୂର୍ବରୁ କରତାରପୁର ସାହିବ ଦର୍ଶନ ପାଇଁ ସେମାନଙ୍କଠାରୁ ଟଙ୍କା ନ ନିଆଯିବା ସହ ପାସପୋର୍ଟର ଆବଶ୍ୟକତା ନାହିଁ ବୋଲି ଇମ୍ରାନ ଖାଁ ଘୋଷଣା କରିଥିଲେ। ହେଲେ ଏବେ ପାକିସ୍ତାନ ସେନା ତାଙ୍କର ସବୁ ନିଷ୍ପତ୍ତିକୁ ଖାରଜ କରିଦେଇଛି।

Share