ପାକ୍‌ ବିଦେଶ ମନ୍ତ୍ରଣାଳୟ ଅଫିସରେ ଟିକ୍‌ଟକ୍‌ ଷ୍ଟାରଙ୍କ ଭିଡିଓ ଭାଇରାଲ

ଇସ୍‌ଲାମାବାଦ,୨୫।୧୦: ପପୁଲାର ଟିକ୍‌ଟକ୍‌ ଷ୍ଟାର ହରିମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହରିମ ଟିକ୍‌ଟକ୍‌ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପାକିସ୍ତାନ ଓ ହରିମଙ୍କୁ ୟୁଜର୍ସମାନେ ସମାଲୋଚନା କରିଛନ୍ତି। ଟିକ୍‌ଟକ୍‌ରେ ହରିମଙ୍କ ଲକ୍ଷାଧିକ ପ୍ରଶଂସକ ରହିଥିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି, ଏହା କ’ଣ ପାକିସ୍ତାନ ସରକାରଙ୍କ ଗମ୍ଭୀରତା। ଅନ୍ୟପଟେ ଉକ୍ତ ଭିଡିଓ ସର୍ବସମ୍ମୁଖରେ ପ୍ରଘଟ ହେବା ପରେ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହରିମ ଯେଉଁ କାର୍ଯ୍ୟାଳୟରେ ଭିଡିଓ କରୁଥିଲେ ତାହା କୌଣସି ସାଧାରଣ କାର୍ଯ୍ୟାଳୟ ନୁହେଁ। ବରଂ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ, ଯେଉଁଠାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବସି ବୈଠକ କରିଥାନ୍ତି। ସେହି ସିଟ୍‌ରେ ଟିକ୍‌ଟକ୍‌ ଷ୍ଟାର ବସି ବଲିଉଡ୍‌ ଓ ପଞ୍ଜାବୀ ଗୀତରେ ଭିଡିଓ କରୁଥିବା ନଜରକୁ ଆସିଛନ୍ତି। ଅନ୍ୟପଟେ ହରିମ ଏନେଇ ନିଜର ପ୍ରତିକ୍ରିୟ ରଖିଛନ୍ତି। ସେ କହିଛନ୍ତି, ତାଙ୍କୁ ଅନୁମତି ମିଳିବା ପରେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ଯଦି ଏହା ନିୟମ ବିରୋଧୀ ଥିଲା, ତେବେ ସେମାନେ ଭିଡିଓ କରିବା ପାଇଁ କାହିଁକି ଅନୁମତି ଦେଇଥିଲେ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ନ୍ୟାଶନାଲ ଆସେମ୍ବ୍ଲିକୁ ଯିବା ପାଇଁ ତାଙ୍କୁ ପାସ୍‌ ମିଳିଥିବା ବେଳେ ଏଣ୍ଟ୍ରି ମଧ୍ୟ ଠିକ୍‌ ଭାବରେ ହୋଇଥିଲା। ଏପରିକି ସେଠାରେ କୌଣସି ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ନ ଥିଲେ ବୋଲି ହରିମ କହିଛନ୍ତି।

Share