ପାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ଦାଉଦ୍‌ ଟଙ୍କା

ନୂଆଦିଲ୍ଲୀ,୨୯ା୭(ଆଇଏଏନ୍‌ଏସ୍‌): ଅଣ୍ଡରଓ୍ବାଲର୍‌ଡ ଡନ୍‌ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ୍‌ ଇବ୍ରାହିମ୍‌ଙ୍କ ବିଭିନ୍ନ ଦେଶରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ତାଙ୍କର ଡି-କମ୍ପାନୀ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ପିଏସ୍‌ଏକ୍ସ)ରେ ପୁଞ୍ଜିନିବେଶ କରିଥିବା ଜଣାପଡିଛି। ଅସ୍ତ୍ର ବ୍ୟବସାୟ,
ଡ୍ରଗ୍ସ ଓ ଜାଲ୍‌ ଭାରତୀୟ ମୁଦ୍ରା କାରବାର ଆଦିରୁ ଉପାର୍ଜିତ ଅର୍ଥକୁ ଦାଉଦ ବିଭିନ୍ନ କ୍ୟାପିଟାଲ୍‌ ସିକ୍ୟୁରିଟି ଫାର୍ମ ଜରିଆରେ ପିଏସ୍‌ଏକ୍ସ ଅଧୀନରେ ଥିବା ତିନୋଟି ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ନିବେଶ କରିଥିବାର ପ୍ରମାଣ ଭାରତୀୟ ଗୋଇନ୍ଦା ସଂସ୍ଥାକୁ ମିଳିଛି। ଡି-କମ୍ପାନୀ ଦ୍ୱାରା ନିଯୁକ୍ତ ଜବିର ମୋତି ଏବେ ଲଣ୍ଡନ ଜେଲ୍‌ରେ ରହିଛନ୍ତି। ତାଙ୍କ ଦ୍ୱାରା ପରିଚାଳିତ ୫ଟି କ୍ୟାପିଟାଲ ସିକ୍ୟୁରିଟି କମ୍ପାନୀ କରାଚୀ ଷ୍ଟକ୍‌ ଏକ୍ସଚେଞ୍ଜରେ କାରବାର କରିଥାଏ। ଏହା ବ୍ୟତୀତ ହବିବ୍‌ ବ୍ୟାଙ୍କର ସହଯୋଗୀ ହବିବ ମେଟ୍ରୋପଲିଟାନ ଫାଇନାନ୍ସ ସର୍ଭିସେସ୍‌ରେ ମଧ୍ୟ ଡି-କମ୍ପାନୀ ବିଭିନ୍ନ ସେଲ୍‌ କମ୍ପାନୀ ମାଧ୍ୟମରେ ପୁଞ୍ଜିନିବେଶ କରିଥିବା ଜଣାପଡିଛି। ସମୁଦି ତଥା କ୍ରିକେଟର ଜାଭେଦ୍‌ ମିଆଦାଦ୍‌ଙ୍କ ଜରିଆରେ ଦାଉଦ୍‌ ହବିବ୍‌ ବ୍ୟାଙ୍କର ବରିଷ୍ଠ ପରିଚାଳକମାନଙ୍କ ସହ ପରିଚିତ ହୋଇଥିଲେ। ଏହି ବ୍ୟାଙ୍କ ମନି ଲଣ୍ଡରିଂ ଏବଂ ଆତଙ୍କବାଦ ସହ ସମ୍ପୃକ୍ତ ଥିବା ଆମେରିକାର ଫାଇନାନ୍ସିଆଲ ସର୍ଭିସେସ୍‌ ବିଭାଗ ୨୦୧୭ରେ ଅଭିଯୋଗ କରିଥିଲା।

Share