ପାକ୍‌ ସେନା ମୁଖପାତ୍ରଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା ଟୁଇଟ୍‌ : ଓଡ଼ିଶାକୁ ବଦ୍‌ନାମ ଲାଗି ପ୍ରୟାସ

ଇସ୍‌ଲାମାବାଦ, ୨୬ା୧୨: ସାରା ବିଶ୍ୱରେ ଖ୍ରୀଷ୍ଟମାସ ଧୁମ୍‌ଧାମରେ ପାଳନ କରାଯାଉ ଥିବାବେଳେ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇ ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ବୁଧବାର ଓଡ଼ିଶାକୁ ବଦ୍‌ନାମ କରିବା ଲାଗି ପ୍ରୟାସ କରିଛନ୍ତି। ଗଫୁର ଟୁଇଟ୍‌ କରି ପାକିସ୍ତାନ ଓ ବିଶ୍ୱରେ ରହୁଥିବା ଖ୍ରୀଷ୍ଟିଆନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଓଡ଼ିଶା ଭଳି ହିନ୍ଦୁପ୍ରବଣ ରାଜ୍ୟରେ ରହୁଥିବା ଖ୍ରୀଷ୍ଟିଆନ୍‌ଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବାକୁ ସେ ଭୁଲି ନ ଥିଲେ। ଭାରତର ଧର୍ମନିରପେକ୍ଷତା ପ୍ରତି ଅଙ୍ଗୁଳି ଉଠାଇ ସେ ବିବାଦର ମଞ୍ଜି ବୁଣିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ଓଡ଼ିଶାରେ ଧର୍ମାନ୍ତରୀକରଣ ଓ ଏହାକୁ ନେଇ ଦଙ୍ଗା ହୋଇଥିଲେ ହେଁ ଏବେ ଭାଇଚାରା ଅତୁଟ ରହିଛି। ତଥାପି ପାକିସ୍ତାନ ଏଥିରୁ ଖିଅ କାଢ଼ିବାକୁ ଚେଷ୍ଟା କରିଛି। ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସିଏଏକୁ ନେଇ ମୁହଁ ଖୋଲିଥିଲେ। ଭାରତ ଏହାର ତୀବ୍ର ବିରୋଧ କରି ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୂରାଇବା ଲାଗି କହିଥିଲା। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ନିର୍ଯାତନା ସୀମା ଟପିିଥିବାବେଳେ ମାନବାଧିକାର ଉଲ୍ଲଂଘନ ମାମଲା ବଢ଼ି ବଢ଼ି ଚାଲିଛି।

Share