ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ୫୪ ବର୍ଷୀୟ ଧାନଜୀ ଜଗଦାଲେ। ତାଙ୍କ ପକେଟରେ ମାତ୍ର ୩ ଟଙ୍କା ଥିଲେ ମଧ୍ୟ ସେ ୪୦ ହଜାର ଟଙ୍କା ବ୍ୟାଗ୍‌ ପାଇ ମାଲିକଙ୍କୁ ତାହା ଫେରେଇ ଦେଇଛନ୍ତି। ସତାରର ଏହି ବ୍ୟକ୍ତି ଜଣଙ୍କ କାମ କରି ଘରକୁ ଯିବା ପାଇଁ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ପକେଟରେ ମାତ୍ର ୩ ଟଙ୍କା ଥିଲା। ଏହାପରେ ସେ ବସଷ୍ଟାଣ୍ଡରେ ନଗଦ ୪୦ ହଜାର ଟଙ୍କା ଥିବା ଏକ ବ୍ୟାଗ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ଟଙ୍କା ବ୍ୟାଗ୍‌କୁ ଉଠାଇ କାହାର ବୋଲି ଚାରିଆଡେ ପଚାରିଥିଲେ। ସେହି ସମୟରେ ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତି କିଛି ଗୋଟେ ଖୋଜୁଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ନିକଟକୁ ଯାଇ ଧନଜୀ ତାଙ୍କୁ ପଚାରିଥିଲେ କ’ଣ ଖୋଜୁଛନ୍ତି? ତା’ ପରେ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ତାଙ୍କର ୪୦ ହଜାର ଟଙ୍କା ହଜିଯାଇଛି। ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ୪୦ ହଜାର ଟଙ୍କା ଯୋଗାଡ଼ କରି ହସ୍ପିଟାଲକୁ ଯାଉଥିଲେ। କିନ୍ତୁ ତାହା ଏଠି ହଜିଗଲା ବୋଲି କହିଥିଲେ। ଏହାଶୁଣି ତତ୍‌କ୍ଷଣାତ୍‌ ଧନଜୀ ୪୦ ହଜାର ଟଙ୍କା ସେହି ବ୍ୟକ୍ତିଙ୍କୁ ଫେରସ୍ତ କରି ଦେଇଥିଲେ। ସେହି ବ୍ୟକ୍ତି ଖୁସି ହୋଇ ଧନଜୀଙ୍କୁ ୧ ହଜାର ଟଙ୍କା ଉପହାର ଦେଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନ ଥିଲେ। ଧନଜୀ ତାଙ୍କ ଘରକୁ ଯିବା ପାଇଁ ୧୦ ଟଙ୍କାର ଆବଶ୍ୟକତା ଥିଲା। ପାଖରେ ୩ ଟଙ୍କା ଥିବାରୁ ସେ ମାତ୍ର ୭ ଟଙ୍କା ଉକ୍ତ ବ୍ୟକ୍ତିଙ୍କ ପାଖରୁ ନେଇଥିଲେ। ଧନଜୀ ଏଭଳି ଉଦାରତା ଦେଖି ତାଙ୍କୁ ଚାରିଆଡେ ପ୍ରଶଂସା କରାଯାଉଛି।

Share