‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ

ମୁମ୍ବାଇ: କପ୍‌-ଡ୍ରାମା ଏବଂ ଆକ୍ସନ ଫିଲ୍ମ ପରେ ଜନ୍‌ ଆବ୍ରାହମ୍‌ଙ୍କୁ ଆଗାମୀ କମେଡି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ଚଳିତ ବର୍ଷ ଶେଷଭାଗରେ ରିଲିଜ ହେବାକୁ ଯାଉଛି। ଆବ୍ରାହମ୍‌ ଏଥିରେ ତାଙ୍କର ସର୍ବାଧିକ ଦକ୍ଷତା ପ୍ରଦର୍ଶନ କରିଥିବା କହିଛନ୍ତି। ‘ପାଗଲପନ୍ତି’ରେ ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ଅନିଲ କପୁର, ଇଲିଆନା ଡି’କ୍ରୁଜ୍‌, ଅର୍ଶଦ ଓ୍ବାର୍ସି, ପୁଲକିତ ସମ୍ରାଟ୍‌ କ୍ରିତି ଖାରବନ୍ଦା, ଉର୍ବଶୀ ରଉତେଲା ଏବଂ ସୌରଭ ଶୁକ୍ଳା। ଉକ୍ତ ଫିଲ୍ମରେ ଜନ୍‌ଙ୍କ ସହ ପୁଣି ଯୋଡି ହୋଇଛନ୍ତି ନିର୍ଦ୍ଦେଶକ ଅନିସ ବାଜ୍‌ମୀ। ବାଜ୍‌ମୀ ମଧ୍ୟ ଆବ୍ରାହମ୍‌ଙ୍କ ଶେଷ କମେଡି ଫିଲ୍ମ ୨୦୧୫ର ‘ଓ୍ବେଲକମ୍‌ ବ୍ୟାକ୍‌’ରେ ନିର୍ଦ୍ଦେଶନା ଦେଇଥିଲେ।
ଏଥର ‘ପାଗଲପନ୍ତି’ରେ ଜନ୍‌ ଆବ୍ରାହମ୍‌ଙ୍କର ବଡି ଲାଙ୍ଗୁଏଜ୍‌ ଅଧିକ ଦେଖିବାକୁ ମିଳିବ। ଏହି ଅଭିନୟ ଜନ୍‌ଙ୍କର ନୁହେଁ ବୋଲି ଦର୍ଶକଙ୍କ ଧାରଣା ସୃଷ୍ଟି ହୋଇପାରେ। ପୂର୍ବାପେକ୍ଷା ଏଥର ଫିଲ୍ମରେ ଜନ୍‌ଙ୍କ ଅଭିନୟରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରିବେ ଦର୍ଶକ। ଏଥିରେ ଜନ୍‌ ଦର୍ଶକଙ୍କୁ ଖୁବ୍‌ ହସେଇବେ ବୋଲି ନିର୍ଦ୍ଦେଶକ ଅନୁଭବ କରୁଛନ୍ତି। ସିନେମା ଆମୋଦପ୍ରମୋଦର ଏକ ମଞ୍ଚ ହୋଇଥିବାବେଳେ ଦର୍ଶକଙ୍କୁ ହସେଇପାରିଲେ ସେଥିରେ ଆନନ୍ଦ ମିଳିବ ବୋଲି ଜନ୍‌ କହିଛନ୍ତି। ଟି-ସିରିଜ୍‌ ଓ ପାନୋରମା ଷ୍ଟୁଡିଓଜ୍‌ର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ସହ-ପ୍ରଯୋଜକ ଅଛନ୍ତି ଆଦିତ୍ୟ ଚୋକ୍‌ସି ଓ ସଞ୍ଜୀବ ଯୋଷୀ। ନଭେମ୍ବର ୮ରେ ଏହା ରିଲିଜ୍‌ ହେବାର ଅଛି।

Share