ପାଚେରିରେ ପିଟିହେଲା ବାଇକ୍‌ : ୨ ସାଙ୍ଗଙ୍କ ଜୀବନ ଗଲା

ଦିଗପହଣ୍ଡି,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୩୨୬ ନଂ. ରାଜ୍ୟ ରାଜପଥର ଉପରବସା ଆନନ୍ଦ କୁଟୀର ଆଶ୍ରମ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ବାଇକ୍‌ ଦୁର୍ଘଟଣାରେ ୨ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ମୃତକ ଦ୍ବୟ ହେଲେ ଦିଗପହଣ୍ଡି ଥାନା ନୂଆଁ ମଳା ଭଞ୍ଜା ଗ୍ରାମର ଦିପୁନ ଗୌଡ଼ ଏବଂ ଶଙ୍କର ପାତ୍ର। ଦିପୁନ ଓ ଶଙ୍କର ଏକ ବାଇକ୍‌ରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ଗାଡ଼ିକୁ ଓଭର ଟେକ୍‌ କରୁଥିଲେ। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା ପାଶର୍‌ବରେ ଥିବା ଆଶ୍ରମ ପାଚେରିରେ ପିଟି ହୋଇଯାଇଥିଲେ। ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯୁବକ ଦ୍ବୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ପରେ ମୃତଦେହ ଦୁଇଟିକୁ ଉଭୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।