ପାଞ୍ଚଦିନରେ ୫ ହଜାର ଓଟଙ୍କୁ ଗୁଳିକରି ହତ୍ୟା

ସିଡ୍‌ନୀ,୧୫-୧:ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଆଦିମ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହି ଓଟଗୁଡ଼ିକୁ ଗୁଳିକରି ହତ୍ୟା କରାଯାଇଥିବା ମଙ୍ଗଳବାର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ଆଦିବାସୀ ନେତାଙ୍କ କହିବା ଅନୁସାରେ, ଅତ୍ୟଧିକ ଶୁଖିଲା ଏବଂ ଗରମ କାରଣରୁ ଅଣଦେଶୀ ଓଟମାନେ ଗ୍ରାମୀଣ ଅଞ୍ଚଳ ଆଡ଼କୁ ମୁହଁାଉଛନ୍ତି। ଖାଦ୍ୟ ଏବଂ ପିଇବା ପାଣି ପ୍ରତି ବିପଦ ସୃଷ୍ଟି କରିବା ସହ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଛନ୍ତି। ଅନାଙ୍ଗୁ ପିଟଜାଣ୍ଟଜାଟଜାରା ୟାଙ୍କୁନିଟଜାଟଜାରା (ଏପିୱାଇ)ର ଜେନେରାଲ ମ୍ୟାନେଜର ରିଚାର୍ଡ କିଙ୍ଗ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରାଣୀ ଅଧିକାର କର୍ମୀଙ୍କ ଚିନ୍ତା ପ୍ରଶଂସାଯୋଗ୍ୟ। କିନ୍ତୁ ଅଣଦେଶୀ ଜୀବଙ୍କ ଜୀବନର ବାସ୍ତବିକତା ସମ୍ପର୍କରେ ଭୁଲ ସୂଚନା ରହିଛି। ଭୂମିର ଅଧିରକ୍ଷକ ରୂପେ ଆମକୁ ଏହି ପଶୁଙ୍କ ସହ ମୁକାବିଲା କରି ମୂଲ୍ୟବାନ ପାଣି ଏବଂ ସମ୍ପତ୍ତି ରକ୍ଷା କରିବା ଦରକାର। ସର୍ବପ୍ରଥମେ ଆମ ଛୋଟ ଶିଶୁ, ବୟସ୍କ ଲୋକ ଏବଂ ବିଭିନ୍ନ ପ୍ରକାର ବନସ୍ପତୀ ପ୍ରତି ଏମାନେ ବିପଦ ସୃଷ୍ଟି କରୁଛନ୍ତି। ଏହା ସହ କିଙ୍ଗ କହିଛନ୍ତି, ଦୁର୍ବଳ ଓଟମାନେ ପୋଖରୀରେ ପଡ଼ି ମୃତ୍ୟୁ ବରଣ କରିଥାନ୍ତି ଏବଂ ସେଠାରେ ପାଣିକୁ ଦୂଷିତ କରୁଛନ୍ତି। ୨୦୧୯ରେ ଅଷ୍ଟ୍ରେଲିଆରେ ଘୋର ଜଳାଭାବ ଦେଖାଦେଇଥିଲା। ଦେଶର ଅନେକ ସହରକୁ ଜଳ ସଂକଟର ସାମ୍ନା କରିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ବୃହତ୍‌ ମରୁ ଅଞ୍ଚଳ ଅଭିଯାନ ପାଇଁ ୧୮୪୦ ମସିହାରେ ଭାରତରୁ ୨୦ ହଜାର ଓଟକୁ ଅଣାଯାଇଥିଲା। ବର୍ତ୍ତମାନ ଏଗୁଡ଼ିକ ଅଷ୍ଟ୍ରେଲିଆ ଜଙ୍ଗଲରେ ମୁକ୍ତ ବିଚରଣ କରୁଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏମାନଙ୍କ ସଂଖ୍ୟା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ରହିଛି।

Share