ପାଟକୁରାରେ ପ୍ରଚାର ଲାଗି ବିଜେଡି ନେତାଙ୍କ ଆନ୍ତରିକ ଇଚ୍ଛା ନାହିଁ: ବିଜୟ

ଭୁବନେଶ୍ୱର,୮।୭(ବ୍ୟୁରୋ): ପାଟକୁରା ନିର୍ବାଚନରେ ରଣନୀତିକୁୁ ନେଇ ନବୀନ ନିବାସରେ ସୋମବାର ହୋଇଥିବା ଆଲୋଚନାକୁ ନେଇ ମନ୍ତବ୍ୟ ରଖିଛନ୍ତି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର। ସେ କହିଛନ୍ତି, ପାଟକୁରା ନିର୍ବାଚନ ଲାଗି ଯେଉଁ ବିଜେଡି ନେତା ପ୍ରଚାର କରିବାକୁ ଆସୁଛନ୍ତି, ସେମାନଙ୍କ ଆନ୍ତରିକ ଇଚ୍ଛା ନାହିଁ। ଅସନ୍ତୁଷ୍ଟ ହୋଇ ସେମାନେ ପ୍ରଚାର କରୁଛନ୍ତି। ସେମାନଙ୍କ ପେଟରେ ଇଚ୍ଛା ବିଜୟ ଭାଇ। କିନ୍ତୁ ଉପରୁ ନିର୍ଦ୍ଦେଶ ଅନ୍ୟ କଥା ବୋଲି ସେ କହିଛନ୍ତି। ଏଥିସହ ନବୀନଙ୍କ ମନ୍ତ୍ରଣା ନେଇ ସେ କହିଛନ୍ତି, ବିଜେଡିରେ ୯୦ପ୍ରତିଶତ ଲୋକ ଅସନ୍ତୁଷ୍ଟ। ଅଧର୍ମ, ଅନୀତିର କେଉଁଠାରେ ବିଜୟ ହୋଇନାହିଁ। ସବୁଠି ଧର୍ମ ବିଜୟ ହୋଇଛି। ସଠିକ୍‌ ନିଷ୍ପତ୍ତି ନେଇ ପାଟକୁରାବାସୀ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ସେ କହିଛନ୍ତି।

ପ୍ରକାଶ ଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ବୈଠକ କରିଛନ୍ତି। ଏଥିରେ ସେ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିଛନ୍ତି। ପାଟକୁରା ନେଇ ରଣନୀତି ସହ ତଳସ୍ତରରେ କିଭଳି ପ୍ରଚାର ଚାଲିଛି ସେ ନେଇ ପଚାରି ବୁଝିଛନ୍ତି ନବୀନ। ନିର୍ବାଚନରେ ଦଳ ତରଫରୁ ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନଙ୍କୁ ସେ ମନ୍ତ୍ରଣା ଦେଇଛନ୍ତି।

Share