ପାଟକୁରା ନିର୍ବାଚନ: ସପ୍ତାହକ ମଧ୍ୟରେ ହୋଇପାରେ ତାରିଖ ଘୋଷଣା

ଭୁବନେଶ୍ୱର, ୪।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଏବଂ ୨୧ ଲୋକ ସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ପାଟକୁରା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଆସନରେ ମେ ୧୯ତାରିଖରେ ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ। ହେଲେ ଗତ ମାସ ୩ ତାରିଖରେ ବାତ୍ୟା ଫନୀ ଯୋଗୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷତି ହୋଇଥିଲା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାରଣରୁ ନିର୍ବାଚନ ସମୟ ଘୁ଼ଞ୍ଚାଇବାକୁ ଅନୁରୋଧ କରିଥିଲେ। ଏହି କାରଣକୁ ଦୃଷ୍ଟିରେ ରଖି ପାଟକୁରା ନିର୍ବାଚନକୁ ୨ ମାସ ପାଇଁ ନିର୍ବାଚନ କମିଶନ ଘୁଞ୍ଚାଇ ଦେଇଛନ୍ତି। ତେବେ ଏଠାରେ କେବେ ନିର୍ବାଚନ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ। ଏହା ପୂର୍ବରୁ ଭାଜପାର ପ୍ରତିନିଧିମାନେ ମଧ୍ୟ ପାଟକୁରାରେ ତୁରନ୍ତ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିବାକୁ କମିଶନରଙ୍କ ନିକଟରେ ଆବେଦନ କରିଛନ୍ତି। ଏହା ଉପରେ କମିଶନ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ଏ ନେଇ କମିଶନ ତାରିଖ ଘୋଷଣା କରିପାରିନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଦୁଇ ମାସ ପାଇଁ ନିର୍ବାଚନ ସ୍ଥଗିତ ଘୋଷଣା ହେବାପରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଆପତ୍ତି ଉଠାଇଥିଲେ। ହାରିଯିବା ଭୟରେ ବିଜେଡି ଜାଣିଶୁଣି ନିର୍ବାଚନ ବିଳମ୍ବ ପାଇଁ ଷ଼ଡ଼ଯନ୍ତ୍ର କରିଥିବା ସେ ଅଭିଯୋଗ ଆଣିଥିଲେ। ଏହି ଆସନରୁ ବିଜେଡି ସ୍ବର୍ଗତ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଛି। ଅନୁକମ୍ପାମୂଳକ ଭୋଟ ପାଇବାକୁ ବିଜେଡି ଏହି ଯୋଜନା କରିଥିବା ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେବାରେ ଲାଗିଛି।

Share