Categories: ରାଜ୍ୟ

ପାଟକୁରା ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡା ଅଫିସ, ୨୧।୭: କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି।
୨୦୧୯ ସାଧାରଣ ନିର୍ବାଚନ ଆରମ୍ଭରୁ ଏହି ବିଧାନସଭା ଆସନ ଚର୍ଚ୍ଚାରେ ରହିଛି । ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଗତ ଏପ୍ରିଲ ୨୯ରେ ଏହି ଆସନରେ ନିର୍ବାଚନ ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ ଫନୀ ପାଇଁ ମେ ୧୯ ତାରିଖରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଶନିବାର ଅନୁଷ୍ଠିତ ନିର୍ବାଚନରେ ଭାଜପାର ହେଭିୱେଟ୍‌ ନେତା ବିଜୟ ମହାପାତ୍ର ଓ ବିଜେଡିରୁ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ଏବେ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଅପରପକ୍ଷେ ୩୦୯ରୁ ସର୍ବାଧିକ ୧୩୮ ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯିବା ଏହି ନିର୍ବାଚନର ଗୁରୁତ୍ୱ ବଢ଼ାଇଦେଇଥିଲା । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ନିମନ୍ତେ ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟଯେ, ପାଟକୁରାରେ ଗତ ଏପ୍ରିଲ ୨୯ରେ ଲୋକ ସଭା ପାଇଁ ଭୋଟ ହୋଇଥିଲା। ସେତେବେଳେ ୭୧ ପ୍ରତିଶତ ମତଦାନ ହୋଇଥିଲା । ଏହି ନିର୍ବାଚନମଣ୍ଡଳୀର ଭୋଟର ହୋଇ ନ ଥିବାରୁ ଶନିବାର କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭୋଟ ଦେଇ ପାରିନାହାନ୍ତି । ମାତ୍ର ଏହି ୨ ପ୍ରାର୍ଥୀ ନିଜର ବିଜୟ ନିଶ୍ଚିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବାବେଳେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଭାଜପା ପ୍ରାର୍ଥୀ ବିଜୟ ନିର୍ବାଚନ ଫଳାଫଳ ସମ୍ପର୍କରେ ଭିନ୍ନମତ ଦେଇଛନ୍ତି।

Share