‘ପାଟଣାଗଡ଼’କୁ ଅନ୍ତର୍ଜାତୀୟ ପୁରସ୍କାର

ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମା ‘ପାଟଣାଗଡ଼’ ନିକଟରେ ମୁମ୍ବାଇର ଲୋନାଭୋଲାଠାରେ ସମାପିତ ‘ଏଲଆଇଏଫଏଫଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯’ରେ ଇସ୍ମାଇଲ ମର୍ଚ୍ଚାଣ୍ଟ ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଛି। ଏହି ପ୍ରତିଯୋଗିତାରେ ୪୦ଟି ଦେଶର ୨୫୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା। ଶେଷରେ ‘ପାଟଣଗଡ’କୁ ଶ୍ରେଷ୍ଠ ପ୍ରଯୋଜକ (ଶ୍ରୀଧର ମାର୍ଥା) ଏବଂ ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ ପୁରସ୍କାର (ଜର୍ଜ ଜୋସେଫ) ମିଳିଛି। ପୁରସ୍କାର ଗ୍ରହଣ ପରେ ଶ୍ରୀଧର କହନ୍ତି, ‘ଏହି ଫିଲ୍ମଟି ଥିଲା ମୋର ଏକ ଡ୍ରିମ ପ୍ରୋଜେକ୍ଟ। ଏଥିପାଇଁ ଯେତେବେଳେ ମୁଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କଲି ସେତେବେଳେ ମୋ ମନକୁ ଆସିଥିଲା ଯେ, ଏହି ସିନେମା କେବଳ ଜାତୀୟ ସ୍ତରରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସିତ ହେବ। ତାହା ଆଜି ସତରେ ପରିଣତ ହୋଇଛି। ଏଥିପାଇଁ ଏହାର ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭର ଏବଂ ଅଭିନୟ କରିଥିବା ସମସ୍ତ କଳାକାର, ଟେକ୍ନିସିଆନ ଏବଂ ଏହି ଫିଲ୍ମ ସହ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ମୁଁ ଆନ୍ତରିକ ଅଭିନନ୍ଦନ ଜଣାଉଛି। କେବଳ ସେତିକି ନୁହେଁ, ଭବିଷ୍ୟତରେ ଏପରି କାହାଣୀକୁ ନେଇ ସିନେମା ନିର୍ମାଣ ଉଦ୍ୟମ ଜାରି ରଖିବି।’ ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରେ ପ୍ରସ୍ତୁତ ‘ପଟଣାଗଡ’ରେ ମନୋଜ ମିଶ୍ର, ଅତୁଲ କୁଲକର୍ନି, ପୁଷ୍ପା ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Share