ପାଟଣା,୭।୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ମଙ୍ଗଳବାର ଚଢ଼ାଉ ହୋଇଛି। ଘର ଭିତରେ ବେଆଇନ ଭାବେ ଏଚ୍ପି ଗ୍ୟାସ ଟାଙ୍କି ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ମଙ୍ଗଳବାର ଯୋଗାଣ ବିଭାଗର ୫ ଜଣିଆ ଟିମ ଚଢ଼ାଉ କରି ଘର ଭିତରୁ ୧୬ ଟି ଖାଲି ସିଲିଣ୍ଡର ଟାଙ୍କି ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ମହାରଣା ପଡ଼ୋଶୀ ମୟୂରଭଞ୍ଜ ଜିଲା କରଞ୍ଜିଆର ଜଣେ ଗ୍ୟାସ ବିତରକଙ୍କ ଠାରୁ ଗ୍ୟାସ ଓ ସିଲିଣ୍ଡର ଆଣି ପାଟଣା ଅଞ୍ଚଳରେ ଅନଧିକାର ଭାବେ ବିକ୍ରି କରୁଥିଲେ। ପାଟଣା ସୁନାମୁଖୀ ଇଣ୍ଡେନ ଗ୍ୟାସ ବିତରକଙ୍କ ତରଫରୁ ଜିଲାପାଳ, ଏସ୍ପିଓ କେନ୍ଦୁଝର ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲ। ଏ ନେଇ ଧରିତ୍ରୀରେ ରବିବାର ଖବର ପ୍ରକାଶ ପାଇଥିଲା। ଏହି ଚଢ଼ାଉରେ କେନ୍ଦୁଝର ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ଓ ବୀରକିଶୋର ମାରାଣ୍ଡିଙ୍କ ନେତୃତ୍ୱରେ ପାଟଣା ବ୍ଲକ ଯୋଗାଣ ଅଧିକାରୀ ବିଦ୍ୟୁତ ଲତା ନାୟକ, ସଦର ବ୍ଲକ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ପ୍ରମୁଖ ସାମିଲ ହୋଇ ଚଢ଼ାଉ କରିବା ସହ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି।