ପାଟଣା ବଜାରରୁ ସିରିଜ ଚୋରି, ରୁପା କଏନ୍‌ ସହ ନଗଦ ଟଙ୍କା, ଷ୍ଟେସନାରି ଚୋରି କଲେ ଦୁର୍ବୃତ୍ତ

ପାଟଣା,୨୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ବଜାର ଦୋକାନରୁ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ସହଦେବ ବେହେରାଙ୍କ ଭେରାଇଟି ଷ୍ଟୋର ଓ ବିଷ୍ଣୁ ପ୍ରସାଦ ବେହେରାଙ୍କ ଭେରାଇଟି ଷ୍ଟୋରର ଟାଇଲ ଓ ସିଲିଂ ଭାଙ୍ଗି ସମାନ ଢଙ୍ଗରେ ଚୋରମାନେ ଚୋରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିଷ୍ଣୁ ବେହେରାଙ୍କ ଦୋକାନରୁ ୩୦ରୁ ୪୦ ହଜାର ନଗଦ ଟଙ୍କା, ଦଶଟି ରୁପା କଏନ ସହ ଷ୍ଟେସନାରି ସାମଗ୍ରୀ ଓ ସହଦେବ ବେହେରାଙ୍କ ଦୋକାନରୁ ୭ରୁ ୮ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଅନୁରୂପ ଭାବେ ଉକ୍ତ ବଜାରରୁ ମେ ୩ ତାରିଖରେ ଦାଶରଥି ଦାଶଙ୍କ ଦୋକାନରୁ ଚୋରି ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାରିକୁ ଧରିବାରେ ସଫଳ ହୋଇପାରି ନାହିଁ। ଥାନାଠାରୁ ୨ଶହ ମିଟର ଦୂରରେ ଥିବା ଏହି ବଜାରରୁ ବାରମ୍ବାର ଚୋରି ଘଟୁଥିବାରୁ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶକରି ଖୁବଶୀଘ୍ର ଚୋରଙ୍କୁ ଗିରଫ କରିବାକୁ ବଣିକ ସଂଘ ତରଫରୁ ଦାବି ହେଉଛି।