ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଭବାନୀପାଟଣା,୮।୬(ଡ.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍‌ବସ୍‌ କରାଇବା ଓ ଜନସାଧାରଣଙ୍କ ସମ୍ମୁଖରେ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିବା ଘଟଣାରେ ସମ୍ପୃକ୍ତ ବିଧାୟକ ଓ ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ବାଧ୍ୟହୋଇ ସାରା ରାଜ୍ୟର ଆଦିବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରିବେ ବୋଲି ଶୁକ୍ରବାର ଆଦିବାସୀ କଲ୍ୟାଣ ସଂଘ କଳାହାଣ୍ଡି ଶାଖା ତରଫରୁ ଚେତାବନୀ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ, ନିମ୍ନମାନର କାମକୁ ନେଇ ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ କୁମାର ମେହେର ସର୍ବସାଧାରଣଙ୍କ ସମ୍ମୁଖରେ ପାଟନାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଶବରଙ୍କୁ ଉଠ୍‌ବସ୍‌ କରାଇବା ସହିତ ଜାତିଆଣ ଆକ୍ଷେପକରି ଅଶ୍ଳୀଷ ଭାଷାରେ ଗାଳିଗୁଲଜ କରିବା ଏବଂ ବିଧାୟକ ମେହେରଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାହୀଯନ୍ତ୍ରୀ ଲୋକନାଥ ମିଶ୍ର ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବରଙ୍କୁ ଗାଲରେ ଚାପୁଡା ମାରିଥିଲେ।

Share