Categories: ଖେଳ

ପାଟନା ପାଇରେଟ୍ସର ରୋମାଞ୍ଚକ ବିଜୟ

ମୁମ୍ବାଇ, ୩୦।୭ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ ୭ମ ସଂସ୍କରଣର ଏକ ରୋମାଞ୍ଚକ ମ୍ୟାଚରେ ପାଟନା ପାଇରେଟ୍ସ ୨୪-୨୩ରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରୋ-କବାଡ଼ି ଲିଗ୍‌ର ଦୁଇ ସଫଳ ରେଡର ‘ଦି ଶୋ ମ୍ୟାନ’ ରାହୁଲ ଚୌଧାରୀ ଏବଂ ‘ରେକର୍ଡ ବ୍ରେକର’ ପ୍ରଦୀପ ନରଓ୍ବାଲଙ୍କ ଉପସ୍ଥିତି ଯୋଗୁ ଦୁଇ ଦଳ ମଧ୍ୟରେ ଲଢେଇ ଜୋରଦାର୍‌ ହେବ ବୋଲି ଆଶା କରାଯାଉଥିଲା। ପାଟନା ସୁପର ଟାକଲ ଜରିଆରେ ମ୍ୟାଚକୁ ନିଜ ସପକ୍ଷରେ ନେଇ ଆସିଥିଲା। ଜୟଦୀପ ୭ ଟାକଲ ପଏଣ୍ଟ ସ୍କୋର କରିଥିବାବେଳେ ଯୁବ ଖେଳାଳି ମୋନୁ ଦୃଢ ଅଲରାଉଣ୍ଡ ପ୍ରଦର୍ଶନ ସହ ତାଙ୍କୁ ସହାୟତା କରିଥିଲେ। ରାହୁଲ ଚୌଧାରୀ ୯୦୦ ରେଡ୍‌ ପୁରଣ ସହ ପ୍ରୋ କବାଡ଼ି ଲିଗ୍‌ ୭ରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଟପ୍‌ ସ୍କୋରର ହେବା ସହ ତାମିଲ ଥଲାଭାସ ପାଇଁ ୫ ପଏଣ୍ଟ ଆଣି ଦେଇଛନ୍ତି। ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବେଙ୍ଗଲ ଓ୍ବାରିୟର୍ସ ପ୍ରଭାବୀ ପ୍ରଦର୍ଶନ ସହ ୪୩-୨୩ରେ ପୁନେରୀ ପଲଟନକୁ ହରାଇ ଦେଇଛି। ଦଳକୁ ଜିତାଇବାରେ ମନିନ୍ଦର ସିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୪ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ। ମହମ୍ମଦ ନବିବକ୍ସଙ୍କଠାରୁ ତାଙ୍କୁ ସମର୍ଥନ ମିଳିଥିଲା। ନବିବକ୍ସ ୮ ଗୁରୁତ୍ୱପୂର୍ଣ୍ଣ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ।

Share