ପାଟ୍ରୋଲିଂ ବେଳେ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ, ଚାଳକ ଫେରାର

ଜମନକିରା, ୧୨।୭: ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ବନଖଣ୍ଡ ବନବିଭାଗ ପକ୍ଷରୁ ଷଣ୍ଢପଥରଠାରୁ କଦଳୀପାଳ ମଧ୍ୟରେ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ୪୦୭ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ କରାଯାଇଛି। ତେବେ ଚାଳକଜଣକ ଫେରାର ହୋଇଯାଇଥିବା ବନଅଧିକାରୀ ପ୍ରକାଶ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ପ୍ରାୟ ଭୋର ଦେଢ଼ରୁ ୨ଟା ସମୟରେ ଏକ ୪୦୭ ଟ୍ରକ୍‌ (ଓଆର୍‌-୧୭-୮୪୪୮) ଷଣ୍ଢପଥରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଟଂସରା ଛକରେ ବନ ବିଭାଗ ପକ୍ଷରୁ ଟ୍ରକ୍‌କୁ ଅଟକାଯାଇଥିଲା। ଚାଳକ ଏହା ଜାଣିପାରି ଫେରାର ହୋଇଯାଇଥିଲେ। ବନବିଭାଗ ଅଧିକାରୀ ଯାଞ୍ଚ କରବା ବେଳେ ଟ୍ରକ୍‌ରେ କେନ୍ଦୁପତ୍ର ବୋଝେଇ ହୋଇଥିବା ଜାଣି ପାରିଥିଲେ। ଟ୍ରକ୍‌କୁ ବଡ଼ରମା ରେଞ୍ଜକୁ ନେଇ କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଜବତ ହୋଇଥିବା କେନ୍ଦୁପତ୍ରର ମୂଲ୍ୟ ମିଳି ନ ଥିବା ଜଣାଯାଇଛି। ଏହି ପାଟ୍ରୋଲିଂ ବେଳେ ରେଞ୍ଜର ନୀଳାଦ୍ରୀନାଥ ସାହୁଙ୍କ ସମେତ ଫରେଷ୍ଟର ରଞ୍ଜନ ଜିତ, କୃପାସିନ୍ଧୁ ପଧାନ, ପରେଶ ନାଏକ ଓ ସ୍ପେସିଆଲ ସ୍କାର୍ଡ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।

Share