ପାଠକଙ୍କୁ ବାନ୍ଧିରଖେ କବିତାର ଭାଷାବିନ୍ୟାସ

ବାଲେଶ୍ୱର ଅଫିସ, ୧୪।୧୦-ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୫୦ତମ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଛି। ଏଥିରେ ବହୁ କବି, ଲେଖକ, ଲେଖିକା, ସାହିତି୍ୟକ ଯୋଗଦେଇ ମନୋରମ ମନୋଜ୍ଞ ପରିବେଶ ମଧ୍ୟରେ ସାରସ୍ବତ ସାଧକମାନେ ନିଜର କବିତା ପାଠ କରିଥିଲେ।
‘ସାଗରିକା’ର ସମ୍ପାଦିକା ସୈରେନ୍ଦ୍ରୀ ସାହୁ ପୌରୋହିତ୍ୟ କରିଥିବାବେଳେ ‘ସାଗରିକା’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଭାବେ ସଦର ବିଧାୟକ ମଦନମୋହନ ଦତ୍ତ ଯୋଗଦେଇ କବିତାର ଭାଷାବିନ୍ୟାସ ପାଠକଙ୍କୁ ବାନ୍ଧି ରଖିପାରେ ବୋଲି ବକ୍ତବ୍ୟ ରଖିଥିଲେ। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସାଗରିକା ପରିବାରର ସୁବର୍ଣ୍ଣଶ୍ରୀ ପ୍ରକାଶନର ମୁଖ୍ୟ କାଳିପଦ ପଣ୍ଡା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ରମାକାନ୍ତ ସିଂ ପ୍ରମୁଖ ଯୋଗଦେଇ କବିତା ହେଉଛି ଅନୁଭୂତିର ସ୍ବର ବୋଲି କହିଥିଲେ। ଅତିଥିମାନଙ୍କ ଦ୍ୱାରା ସାଗରିକା ପୂଜା ସଂଖ୍ୟାର ଉନ୍ମୋଚନ ହୋଇଥିଲା। ବିଶିଷ୍ଟ ସାହିତି୍ୟକ ଡ. ଅରବିନ୍ଦ ଗିରି, ଆଇନଜୀବୀ ଓ ସମାଜସେବୀ ବେଣୁଧର ରାଉଳ ସାଗରିକା ପତ୍ରିକା ଉପରେ କଥା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ରମାକାନ୍ତ ବେହେରା, ରଞ୍ଜନ ବାଗ୍‌, ଶଶାଙ୍କ ଶେଖର ଦତ୍ତ, ଗଙ୍ଗାଧର ବିଶ୍ୱାଳ, ଅଞ୍ଜଳୀ ପଣ୍ଡା, ଅର୍ଚ୍ଚନା ନନ୍ଦୀ, ଡ. ପ୍ରହ୍ଲାଦ ମହାନ୍ତି, ଶୁଭଙ୍କର ମହାପାତ୍ର, ଶାନ୍ତନୁ କୁମାର ପଟ୍ଟନାୟକ, କଲ୍ୟାଣୀ ନନ୍ଦ, ପୁଷ୍ପାରାଣୀ ସେନାପତି, ପ୍ରିୟଦର୍ଶିନୀ ମହାନ୍ତି, ମନସ୍ବନୀ ଦେବୀ ଓ ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।