Advertisement
Categories: କନ୍ଧମାଳ

‘ପାଠକ କମୁ ଥିବାରୁ ପତ୍ରପତ୍ରିକା ପ୍ରସାରଣ କମୁଛି’

ଫୁଲବାଣୀ ଅଫିସ, ୧୮ା୨ – ‘ଉତ୍କଳ ଦୀପିକା’ ଓଡିଶାରେ ପ୍ରଥମ ଓଡ଼ିଆ ଖବରକାଗଜ। ବର୍ତ୍ତମାନ ଖାଲି ଖବରକାଗଜ ନୁହେଁ, ଅନେକ ପତ୍ରପତ୍ରିକା ପ୍ରକାଶ ପାଉଛି। ହେଲେ ସେଥିରୁ ଅଧିକାଂଶ ସମସ୍ୟା ଦେଇ ଗତି କରୁଛି। ପୂର୍ବରୁ ଖବରକାଗଜ ଓ ପତ୍ରପତ୍ରିକା ପଢ଼ିବାକୁ ଲୋକଙ୍କ ଆଗ୍ରହ ଥିଲା। ତେଣୁ ଏହାର ଚାହିଦା ଅଧିକ ଥିଲା। ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏହା ଉପରେ ଗଭୀର ପ୍ରଭାବ ପକାଇଛି। ଆଜିକାଲିର ସମାଜ ଅବା ପାଠକଙ୍କ ପଢ଼ା ଅଭ୍ୟାସ କମିଗଲାଣି। ପଢ଼ିବା ଆଗ୍ରହ କମୁଥିବାରୁ ପତ୍ରପତ୍ରିକାର ଚାହିଦା କମୁଛି। ତେଣୁ ପ୍ରସାରଣ କମୁଛି । ଫୁଲବାଣୀ କରୋନେଶନ ପଡିଆରେ ଚାଲିଥିବା ଏକାଦଶ କନ୍ଧମାଳ ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳାର ରବିବାର ୫ମ ସନ୍ଧ୍ୟାରେ ଅନୁଷ୍ଠିତ ଓଡିଆ ପତ୍ରପତ୍ରିକାର ପ୍ରକାଶନ ସମସ୍ୟା ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୂଳମଣି ଓଝା ଏହା ପ୍ରକାଶ କରିଛନ୍ତି। ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ.ସୂଚନା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଡ.ହୃଷୀକେଷ ପଣ୍ଡା, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ.ବୈରାଗୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ବିଷୟରେ ଆଲୋଚନା କରିବା ସହ ପୁସ୍ତକ ମେଳା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ପୁସ୍ତକ ପଠନ ହିଁ ମଣିଷକୁ ସାମାଜିକ ପଥରେ ଅଗ୍ରସର କରିଥାଏ। ଭଲ ସମାଜ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ଏବେ ପିଲାଙ୍କଠୁ ଆରମ୍ଭ କରି ଯୁବ ସମାଜ, ସାଧାରଣ ଜନତା ମୋବାଇଲ ଫୋନରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି। ସେମାନଙ୍କ ପଢ଼ିବା ଅଭ୍ୟାସ କମିଗଲାଣି। ପୁସ୍ତକ ମେଳା ଏହି ଅଭ୍ୟାସକୁ ଭାଙ୍ଗି ପାରିବ। ପୁଣି ଲୋକେ ପୁସ୍ତକ ପଢ଼ିବାକୁ ମନ ବଳାଇବେ। ପାଠକୀୟ ଆଗ୍ରହ ସୃଷ୍ଟି କରିବା ପାଇଁ ପୁସ୍ତକ ମେଳାର ବହୁ ପ୍ରାସଙ୍ଗିକତା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।
ଏହି ଅବସରରେ ଜିଲାର ୧୦ ଏବଂ ଜିଲା ବାହାରର ୨୪ ଜଣଙ୍କୁ ମିଶାଇ ମୋଟ ୩୪ ଜଣ ସ୍ବରଚିତ କବିତା ପାଠ କରିଥିଲେ। ଡ. ଶିତୁ ପ୍ରକାଶ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଫେସର ତୀର୍ଥ ଜାନୀ ସଭାପତିତ୍ୱ କରିଥିଲେ। ଡ. କାହ୍ନୁଚରଣ ଶତପଥୀ କାଯର୍ର୍‌ୟକ୍ରମ ସଞ୍ଚାଳନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel