ବ୍ୟାୟାମ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ସହଜ ନୁହେଁ। ଆଜିକାଲି ଅନେକେ ଏହାକୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ସକାଳୁ ଅତିକମ୍ରେ ଅଧଘଣ୍ଟା ଚାଲିବା ଏବଂ ତା’ପରେ କିଛି ସମୟ ନିଜର ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରିବା ଦ୍ୱାରା ମନ ତ ପ୍ରଫୁଲ୍ଲ ରହିଥାଏ, ତା’ସହ ଏପରି ଅଭ୍ୟାସ ଆମକୁ ପରୋକ୍ଷରେ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହି ତାଲିକାରେ ନିକଟରେ ଆଉ ଏକ କଥାକୁ ଯୋଡ଼ାଯାଇଛି। ନିୟମିତ ବ୍ୟାୟାମ କରିବା ଫଳରେ ପାଠପଢ଼ା ପ୍ରତି ଆଗ୍ରହ ଆହୁରି ବଢ଼ିଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ପ୍ରତିଦିନ ବ୍ୟାୟାମ କରୁଥିବା ବ୍ୟକ୍ତି ଏବଂ କେତେଜଣ ଛାତ୍ରୀଛାତ୍ର ପଢ଼ିବା ପ୍ରତି କେତେ ଆଗ୍ରହ କରୁଛି ତାହାକୁ ବିଶେଷଜ୍ଞମାନେ ଲକ୍ଷ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତି ଏବଂ ଛାତ୍ରୀଛାତ୍ରଙ୍କର ପାଠପଢ଼ା ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହେଉଥିବାର ସେମାନେ ଜାଣିପାରିଥିଲେ। କିନ୍ତୁ ଏହି ବ୍ୟାୟାମ ନିଜର ସାମର୍ଥ୍ୟ ଅନୁସାରେ କରିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।