ପାଠ୍ୟପୁସ୍ତକରେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ ଅଫିସ, ୯ା୧୨:ବାଲୁକା କଳାକୁ ନେଇ ଓଡ଼ିଶାର ଯେଉଁ କେତେଜଣ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ବାଲୁକା କଳା କେବଳ ଓଡ଼ିଶା କି ଭାରତ ନୁହେଁ ବିଦେଶକୁ ମଧ୍ୟ ଛୁଇଁଯାଇଛି। ଜଣେ ଶିଳ୍ପୀ ବାଲିକୁ ବି ଜୀବନ୍ତ ଭଳି ରୂପ ଦେଇପାରେ ତାହା ସୁଦର୍ଶନଙ୍କ କଳାରୁ ହିଁ ବାରି ହୋଇଯାଏ। ବାଲିକୁ ନେଇ ସର୍ବଦା ନୂଆ କିଛି କରିବାର ସ୍ବପ୍ନ ଦେଖୁଥିବା ଏହି ବିଶିଷ୍ଟ ବ୍ୟକ୍ତି ଜଣକ ଏବେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛନ୍ତି। ସିବିଏସ୍‌ଇ ଷ୍ଟାଣ୍ଡାର୍ଡ-୪ର ଇଂଲିଶ ବହି ବଜ୍‌ୱାର୍ଡରେ ସୁଦର୍ଶନଙ୍କ ଉପରେ ଏକ ବିଷୟ ‘ଦି ଗ୍ରେଟ୍‌ ସ୍ୟାଣ୍ଡ୍‌ ଆର୍ଟିଷ୍ଟ’ ରହିଛି।
ସିବିଏସ୍‌ଇ ପାଠ୍ୟକ୍ରମରେ ସୁଦର୍ଶନଙ୍କ ଉପରେ ପିଲାଙ୍କୁ ପଢାଯାଉଥିବା ଏହି ବିଷୟରେ ତାଙ୍କ ସଂଘର୍ଷମୟ ଜୀବନୀ, କେମିତି ବାଲୁକା କଳା ଆରମ୍ଭ କଲେ, ଧୀରେ ଧୀରେ ତାଙ୍କ ବାଲୁକା କଳା କିପରି ଦେଶ ବିଦେଶକୁ ବ୍ୟାପିଲା, କେଉଁ କେଉଁ ପ୍ରତିଯୋଗିତାରେ ଭାଗ ନେଇ କ’ଣ ସଫଳତା ପାଇଁଛନ୍ତି ଏବଂ ଦେଶ ବିଦେଶରୁ କ’ଣ କ’ଣ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି ତାହା ସ୍ଥାନିତ ହୋଇଛି। କେବଳ ଏତିକି ନୁହେଁ, ସୁଦର୍ଶନ ଓ ତାଙ୍କ ବାଲୁକା କଳା ଉପରେ ଆଲିଗଡ଼ ମୁସ୍‌ଲିମ ବିଶ୍ୱବିଦ୍ୟାଳୟର ଶୁଭାଙ୍ଗୀ ଅଗ୍ରୱାଲଙ୍କ ସମେତ ଅନେକ ପିଏଚ୍‌ଡି ରିସର୍ଚ୍ଚ ସ୍କଲାର ଗବେଷଣା କରୁଛନ୍ତି। ନିକଟରେ ଶୁଭାଙ୍ଗୀ ପୁରୀ ଆସି ସୁଦର୍ଶନଙ୍କଠାରୁ ତାଙ୍କ ଜୀବନୀ, ବାଲୁକା କଳା ଏବଂ ସଫଳତା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ସେହିପରି ଏ ନେଇ ରାଜସ୍ଥାନର ଜଣେ ପିଏଚ୍‌ଡି ସ୍କଲାର ମଧ୍ୟ ଗବେଷଣା ଜାରି ରଖିଛନ୍ତି।

Share