ପାଠ୍ୟପୁସ୍ତକ ଜ୍ଞାନକୁ ଜୀବନରେ ବିନିଯୋଗ କର: ଓ୍ବାଙ୍ଗ୍‌ଚୁକ୍‌

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ):ଶିକ୍ଷା କ୍ରାନ୍ତି ବା କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ‘ପଢ଼ିବା, ଲେଖିବା ଓ ଗଣିତ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରମାନେ ସମାଜରେ ସକାରାତ୍ମକ ଚିନ୍ତନ ଆଣିବା ପାଇଁ ନିଜର ପାଠ୍ୟପୁସ୍ତକ ଜ୍ଞାନକୁ ବାସ୍ତବିକ ଜୀବନରେ ବିନିଯୋଗ କରି ନିଜକୁ ମଜଭୁତ୍‌ କରିବା ଉଚିତ ବୋଲି ମାଗାସେସେ ପୁରସ୍କାର ବିଜେତା ସୋନମ୍‌ ୱାଙ୍ଗଚୁକ୍‌ କହିଛନ୍ତି। ବୁଧବାର ସେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରମାନେ କେଉଁ ପ୍ରଣାଳୀରେ ଶିକ୍ଷାକୁ ଗ୍ରହଣ କରିବେ ବିଦ୍ୟାଳୟଗୁଡ଼ିକ ସେ ଦିଗରେ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି କହିଛନ୍ତି। ଶକ୍ତି ସଂରକ୍ଷଣକୁ ଗୁରୁତ୍ୱ ଦେଇ ସେ କହିଥିଲେ, ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱବୋଧକୁ ଉପଲବ୍ଧି ବା ଏକ ସ୍ବଚ୍ଛ, ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ିତୋଳିବା ପାଇଁ ପ୍ରୟାସ କରିନାହାନ୍ତି, ସେ ପର୍ଯ୍ୟନ୍ତ ବିଶ୍ୱର ସ୍ଥିତି ଖରାପ ଆଡ଼କୁ ଗତିକରିବ। ଏହାସହ ଗାନ୍ଧିଜୀଙ୍କ ପରି ସମସ୍ତେ ଏକ ସାଧାରଣ ଜୀବନଶୈଳୀକୁ ଆପଣେଇବା ପାଇଁ ୱାଙ୍ଗଚୁକ୍‌ ପ୍ରବର୍ତ୍ତାଇଥିଲେ, ଯଦ୍ଦ୍ବାରା ସାରା ବିଶ୍ୱ ଏକ ହୋଇପାରିବ। ଶେଷରେ ଛାତ୍ରୀଛାତ୍ରଙ୍କୁ ବାର୍ତ୍ତା ଦେଇ ସେ କହିଥିଲେ, ଖାଦ୍ୟକୁ ନଷ୍ଟ ନ କରିବା, ବାଇସାଇକେଲ ଚଲାଇବା, ବିଦ୍ୟୁତ୍‌ର ଠିକ୍‌ ବିନିଯୋଗ ସହ ସମାଜରେ କିପରି ନିଜକୁ ପ୍ରେରଣାର ଉତ୍ସ ଭାବେ ଗଢ଼ିତୋଳିବା ସେଥିପାଇଁ ସର୍ବଦା ଚେଷ୍ଟା ଜାରି ରଖିବା ଦରକାର। କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପ୍‌ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁ, ସିନିୟର ପ୍ରିନ୍ସି୍ସପାଲ ନୀଳକଣ୍ଠ ପାଣିଗ୍ରାହୀ, ଭାଇସ୍‌ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ଜେନେରାଲ ମ୍ୟାନେଜର୍‌ କମ୍ୟୁନିକେଶନ୍‌ ଶରତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।

Share