ପାଣିଘେରରେ କେନ୍ଦୁଘାଟି

କେନ୍ଦୁଝର, ୨୩ା୯ (ସ୍ବ.ପ୍ର.)-ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଏପରିକି ବିଜୁ ସେତୁ ଯୋଜନାରେ ନଦୀନାଳରେ ପୋଲ ନିର୍ମାଣ କରି ପଞ୍ଚାୟତ ସହିତ ସବୁ ଗ୍ରାମକୁ ସଂଯୋଗ କରିବା ସହ ସବୁଦିନିଆ ରାସ୍ତା ନିର୍ମାଣ ବିଭିନ୍ନ ଯୋଜନାରେ କରୁଛନ୍ତି। କିନ୍ତୁ ପାଣିଘେରରେ ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତ ଅଧୀନ କେନ୍ଦୁଘାଟି ଗ୍ରାମକୁ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ଦୁଃଖରେ ଦିନ କାଟୁଛନ୍ତି। ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ସେମାନଙ୍କ ପାଇଁ ଡେଥ୍‌ ଲାଇନ ପାଲଟିଥିଲେ ହେଁ ଏଥିପ୍ରତି ସରକାର କିମ୍ବା ପ୍ରଶାସନର ନଜର ପଡୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଗ୍ରାମର ତିନି ପାର୍ଶ୍ୱରେ ରହିଛି ବୈତରଣୀ ଓ ମଲଦା ନଦୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ପାଣି ଭର୍ତ୍ତି ହୋଇଯାଏ। ବନ୍ୟା ପାଣି ଯୋଗୁ ନଦୀ କୂଳ ଖାଇ ଯାଉଥିବାରୁ ଲୋକଙ୍କ ଜମିବାଡ଼ି କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ଏଥିପାଇଁ କ୍ଷତିପୂରଣ ମଧ୍ୟ ମିଳେ ନାହିଁ ବୋଲି ସେମାନେ ଅଭିଯୋଗ କରନ୍ତି।
ବର୍ଷାଦିନ ଆସିଲେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଅଧିକ ବଢ଼ିଯାଏ। ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀଡଙ୍ଗାରେ ନଦୀ ପାର ହୋଇ ଯିବାଆସିବା କରିଥାନ୍ତି। ବର୍ଷାଦିନେ ପଞ୍ଚାୟତ ଅଫିସ, ହାଟବଜାରକୁ ଯିବା ଆସିବା କଷ୍ଟକର ହୋଇପଡ଼େ। ନଦୀର ସୁଅକୁ ବେଖାତିର କରି ପେଟ ଲାଗି ଚାଉଳ ଗଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡଙ୍ଗାରେ ଯିବାଆସିବା କରିଥାନ୍ତି। ବହୁ ବର୍ଷ ହେଲା ଏଭଳି ଦୁଃଖ ଭୋଗୁଛନ୍ତି। ଏ ନେଇ ବହୁ ଖବର ପ୍ରକାଶ ପାଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂଣ୍ଣର୍ର୍ ଯାତାୟାତ କରୁଥିବାରୁ ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଡଙ୍ଗା ଚଳାଇବା ପାଇଁ ସରକାରୀ କଟକଣା ରହିଛି। ତେବେ ଏଥିପାଇଁ ଲାଇସେନ୍ସ କରିବା ସହ ସରକାରୀ ନୀତିନିୟମ ପାଳନ କରିବାକୁ ପଡ଼ିଥାଏ। କିନ୍ତୁ ଏଠାରେ ପ୍ରଶାସନ କୌଣସି ସହାୟତା କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଥିବା କହିଛନ୍ତି। ତେବେ କେବେ ଦୁଃଖ ଦୂର ହେବ ସେ ନେଇ ଗ୍ରାମବାସୀ ଅପେକ୍ଷା କରିଛନ୍ତି।

Share