ରଣପୁର,୨୬।୧୦(ସ୍ବ.ପ୍ର.): ରଣପୁର ବ୍ଳକ ଓ ଏନ୍ଏସି ଅଞ୍ଚଳରେ ୩ଦିନ ଧରି ଲାଗି ରହିଥିବା ବର୍ଷାରେ ବହୁ ଘରର କାନ୍ଥ ଭାଙ୍ଗିପଡିଛି। ଏକର ଏକର ଜମିର ଧାନ ଫସଲ ଉଜୁଡି ଯାଇଛି । ସ୍କୁଲ ଗୃହରେ ପାଣି ପଶିଯାଇଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ବ୍ଲକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ୨୩ ତାରିଖରେ ୨୩.୪ମିମି, ୨୪ରେ ୧୩୦.୨ ମିମି, ୨୫ରେ ୧୪୦.୪ ମିମି ବର୍ଷା ହୋଇଛି । ଅତ୍ୟଧିକ ବର୍ଷା ଯୋଗୁ ଧାନ ଫସଲ ଉପରେ ପାଣି ଜମି ରହିଛି। କେଣ୍ଡା ଧାନ ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ଅଙ୍ଗନୱାଡି, ସ୍କୁଲ, କଲେଜ ଖୋଲା ରହିଥିଲା। ତେବେ ପିଲାମାନଙ୍କ ଉପସ୍ଥାନ କମ୍ ରହିଥିଲା। ଫନୀରେ ଭାଙ୍ଗିଥିବା ଘର ଉପରେ ପଡିଥିବା ପଲିଥିନ୍ ନଷ୍ଟ ହୋଇଯିବାରୁ ଭଙ୍ଗା ଘର ଅଧିକ ବିପଦସଙ୍କୁଳ ହୋଇପଡିଛି । କଣ୍ଡରା ସିଂ ଦେଉଳି ଉ.ପ୍ରା. ବିଦ୍ୟାଳୟର ଶ୍ରେଣୀଗୃହରେ ପାଣି ପଶିଯାଇଥିଲା । ସ୍କୁଲ ସମ୍ମୁଖରେ ଜମିଥିବା ପାଣିରେ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇଥିବା ଥାଳି ସଫା କରିଥିଲେ। ସେହି ପରିସରରେ ମଇଁଷିମାନଙ୍କୁ ଗାଧୋଇ ଦିଆଯାଉଥିବାର ଦେଖିବାକୁ ମିଳିଥିଲା।