ପାଣିଟାଙ୍କିରୁ ନାବାଳକଙ୍କ ମୃତଦେହ ଉଦ୍ଧାର, ନିଶା ସେବନ କରିଥିବାରୁ ଖସି ପଡ଼ିଥିବା ସନ୍ଦେହ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୯, ପ୍ଲଟ ନଂ-୧୨୯ରେ ଥିବା ଏକ ପାଣିଟାଙ୍କିରୁ ଗୁରୁବାର ଜଣେ ନାବାଳକଙ୍କ ମୃତଦେହକୁ ଖାରବେଳ ନଗର ପୋଲିସ ଉଦ୍ଧାର କରିଛି। ସେ ହେଲେ ତିର୍ଜକ ତେଜର ଜେନା(୧୨)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ହେଲେ ପ୍ରାଥମିକ ତଦନ୍ତରୁ ନିଶା ଖାଇଥିବା ଯୋଗୁ ପାଣିଟାଙ୍କିରେ ପଡ଼ି ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି।

ସୂଚନାନୁଯାୟୀ, ତିର୍ଜକ ସକାଳେ ପେଟ୍ରୋଲ ବୋତଲ ହାତରେ ଧରି ଛାତ ଉପରକୁ ଯାଇଥିଲେ। କିଛି ସମୟ ପରେ ଘର କାମ କରିବା ସମୟରେ ଟ୍ୟାପ୍‌ରୁ ବାହାରୁଥିବା ପାଣି ପେଟ୍ରୋଲ ବାସ୍ନା ହୋଇଥିଲା। ଫଳରେ ପରିବାରଲୋକେ ପାଣିଟାଙ୍କିରେ କିଭଳି ପେଟ୍ରୋଲ ମିଶିଲା ତାହା ଜାଣିବା ଲାଗି ଯାଇଥିଲେ। ସେଠାରେ ତିର୍ଜକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Share