ପାଣିପାଗ କେନ୍ଦ୍ରର ପୂର୍ବାନୁମାନ: ଦଶହରାକୁ ଫିକା କରିପାରେ ବର୍ଷା

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଦଶହରାକୁ ଫିକା କରିପାରେ ବର୍ଷା। ଦଶହରା ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଆସନ୍ତା ୪ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଝଡ଼ତୋଫାନ ଓ ବଜ୍ରପାତ ହୋଇପାରେ। ଏନେଇ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, ଅନୁଗୋଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର କିଛି ସ୍ଥାନରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ସେହିପରି ସୋମବାର ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ଝଡ଼ତୋଫାନ ଓ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ବାହାରକୁ ନ ଯାଇ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ମଙ୍ଗଳବାରରୁ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୮ତାରିଖରେ କେରାପୁଟ, ଗଞ୍ଜାମ, ଗଜପତି, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୯ରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ବାଲେଶ୍ୱରରେ ସର୍ବାଧିକ ବର୍ଷା ହୋଇଥିବାବେଳେ ପାରାଦୀପ ଓ ଟିଟିଲାଗଡ଼ରେ ବର୍ଷା ହୋଇଥିବା ଜଣାପଡ଼ିଛି।

Share