ପାଣିରେ ବୁଡ଼ିଛି ଚାଷଜମି: ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ଇଟାଗଡ଼ି ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସାଳନ୍ଦୀ ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ ଶୁକ୍ରବାର ପୂର୍ବାହ୍ନରେ ଏହି ଅଞ୍ଚଳକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଗୋପାଳିଆ କେନାଲର ସଂସ୍କାର କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗୋପାଳିଆ କେନାଲ ଦୀର୍ଘଦିନ ଧରି ସଂସ୍କାର ହୋଇପାରି ନାହିଁ। ଏହାଛଡ଼ା ଈଶାଣପୁରଠାରୁ କଷଟି ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ ଯୋଗୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁ ଇଟାଗଡ଼ି, କଷଟି ଓ ଦେଉଳା ମୌଜାର ଏହି ଚାଷଜମି ଜଳମଗ୍ନ ହୋଇଛି। ଫଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିବା ଇଟାଗଡ଼ି ଗ୍ରାମର ଗଣେଶ ପ୍ରସାଦ ରାଉତ, ସରୋଜ ଖୁଣ୍ଟିଆ, ଅଭିରାମ ସେଠୀ, କମଳାକାନ୍ତ ସେଠୀ, ବିଶ୍ୱନାଥ ସେଠୀ, ନିର୍ମଳ ସେଠୀ ଓ ନିତ୍ୟାନନ୍ଦ ସ୍ବାଇଁ ପ୍ରମୁଖ ଦର୍ଶାଇଥିଲେ। ଅନୁଧ୍ୟାନ ବେଳେ ସାଳନ୍ଦୀ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସାହୁଙ୍କ ସହ ଏସ୍‌ଡିଓ ପ୍ରୀତମ ପୋଥାଳ, କନିଷ୍ଠ ଯନ୍ତ୍ରୀ ସତ୍ୟସୁନ୍ଦର ମଣ୍ଡଳ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Share