ପାଣିରେ ଭାସୁଛି ପାଚିଲା ଧାନ

ରୂପ୍‌ସା,୯।୧୧(ଡି.ଏନ.ଏ.)-ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲା ୨ଦିନ ଧରି ଲାଗି ରହିଛି ଲଘୁଚାପଜନିତ ଲଗାଣବର୍ଷା। ଚାଷଜମି ସବୁ ଜଳମଗ୍ନ ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ବାଲେଶ୍ୱର ସଦର ବ୍ଲକ ଓ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ଖରିଫ ଧାନ ଅମଳ ଆଶା ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରୂପ୍‌ସା, ଆଙ୍କୋ, କସିପଦା, ହଳଦୀପଦା, କୁରାଡ଼ିହା, ବାହାବଳପୁର, ଦୁବୁଲାଗଡ଼ି, ଛାନୁଆ, ସାର୍ଥା, କଷାଫଳ, ଶ୍ରୀରାମପୁର, ରସଲପୁର ସମେତ ଗଡ଼ପଦା, ରାଉତପଡ଼ା, ବାହାର୍ଦ୍ଦା, ମଥାନୀ ଓ ଦୁଧହଂସା ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବର୍ଷା ଜଳ ଜମି ରହିବା ଯୋଗୁ ପାଚିଲା ଧାନ ଭାସୁଥିବା ଦେଖିବାକୁ ମିଳିଛି। ଆଉ କିଛିଦିନ ପରେ ଚାଷୀ ଫସଲ ଅମଳ ହୋଇଥାନ୍ତା। ବ୍ୟାଙ୍କ, ସମିତି ତଥା ଗାଁ ମହାଜନଠାରୁ କରଜ କରି ଦି’ ପଇସା ଲାଭ ପାଇବା ଆଶାରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇବସିଛି। ଠିକ୍‌ ଅମଳ ସମୟ ବେଳକୁ ପ୍ରକୃତି ଦାଉ ସାଧି ଚାଷୀ ପରିବାର ମୁହଁରେ ହସ ଛଡ଼ାଇ ନେଇଛି ବୋଲି ଚାଷୀ ଅଭିମନ୍ୟୁ ଚଣ୍ଡ, ଅଜୟ ପ୍ରଧାନ, ଜୟନ୍ତ ଦେ ପ୍ରମୁଖ କହିଛନ୍ତି। ଚଳିତବର୍ଷ ଆରମ୍ଭରେ ବର୍ଷା ଅଭାବରୁ ବହୁ ଘାତପ୍ରତିଘାତ ଭିତରେ ବିଳମ୍ବରେ ଚାଷ କାର୍ଯ୍ୟ କରି ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଚାଷୀ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଯେଉଁ ପରିମାଣର ଧାନ ଉପତ୍ାଦନ ଆଶା ରଖିଥିଲା ତାହା କେବଳ ଆଶାରେ ହଁି ରହିଗଲା ବୋଲି ଚାଷୀ ସେକ ମଡ଼ିଆ, ବିଦ୍ୟାଧର ମହାନ୍ତି, ଜଗନ୍ନାଥ ସିଂ ପ୍ରମୁଖ କହିଛନ୍ତି।