Categories: ରାଜ୍ୟ

ପାଣି ଆସୁ ଆସୁ କେନାଲରେ ଘାଇ

ବାଲିଆ,୨୪।୭: ବାଲିଆ ଜଳସେଚନ ସେକ୍ସନ ଅଧୀନ ୪ନଂ କେନାଲରେ ପାଣି ଆସୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣି ବିନା ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ଚାଷୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିଲେ। ସେପଟେ କେନାଲ ମରାମତି ଓ ପୁନରୁଦ୍ଧାର ଆଳରେ ଜଳସେଚନ ବିଭାଗ ପାଣି ଛାଡୁ ନ ଥିଲା। ଏବେ କେନାଲରେ ଅଳ୍ପ ପାଣି ଛଡ଼ାଯିବା ମାତ୍ରେ ନୂଆଢଣାଠାରେ ୨୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ବନ୍ଧ ମରାମତି ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା କିପରି ବିନିଯୋଗ ହୋଇଛି ତାହା ବୁଝାପଡୁଛି। ସୂଚନା ଅନୁଯାୟୀ, ଏହି କେନାଲରେ ପାଣି ଛଡ଼ାଯାଉ ନ ଥିବାରୁ କେନାଲ ପାର୍ଶ୍ୱବର୍ତ୍ତୀ ଜମିରେ ଚାଷକାର୍ଯ୍ୟ ହୋଇପାରୁ ନ ଥିଲା। ତେଣୁ ପାଣି ଛାଡ଼ିବା ପାଇଁ ଚାଷୀମାନେ ବାରମ୍ବାର ଦାବି କରିଥିଲେ। ସେତେବେଳେ କେନାଲ ମରାମତି କାମ ଚାଲିଥିବାରୁ ପାଣି ଛଡାଯାଉ ନ ଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଏବେ ପାଣି ଆସୁ ଆସୁ ଘାଇ ସୃଷ୍ଟି ହେବାରୁ କେନାଲ ପୁନରୁଦ୍ଧାର କାର୍ଯ୍ୟ ଠିକ୍‌ ଭାବେ କରାଯାଇ ନ ଥିବା ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ କେନାଲ ବନ୍ଧ ମରାମତି ବେଳେ ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ନ ରହିବାରୁ ଠିକାଦାର ମନମୁଖି କାର୍ଯ୍ୟ କଲେ। ଏ ବାବଦରେ ବିପୁଳ ଅର୍ଥ ତୋସରପାତ କରାଗଲା। ସେପଟେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଗତ କିଛିଦିନ ହେଲା ନଦୀ ବନ୍ଧ ଓ ମାଛଗାଁ ମୁଖ୍ୟ କେନାଲ ଉପରେ ପଇଁତରା ମାରୁଥିଲେ ମଧ୍ୟ ଶାଖା କେନାଲଗୁଡିକର ଅବସ୍ଥା ଦେଖୁନାହାନ୍ତି କି ତଦାରଖ କରୁନାହାନ୍ତି। ତେଣୁ ତଳିଆ କର୍ମଚାରୀ ଓ ଠିକାଦାରଙ୍କ ସଲାସୁତରାରେ କାମ ନିମ୍ନମାନର ହେଉଛି। ଚାଷୀ ବିଚରା ପାଣି ନ ପାଇ ହଇରାଣ ହେଉଛନ୍ତି।

Share