ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ ଏନଏସି ଅନ୍ତର୍ଗତ ଧଳାଡିହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନଂ୧ ରେ ଏହାର ବିପରୀତ ବ୍ୟବସ୍ଥା ଦେଖିବାକୁ ମିଳୁଛି। ପାଇଖାନା ନ ଥିବାରୁ ପିଲାମାନେ ନିକଟସ୍ଥ ବନ୍ଧ ଉପରେ ନିର୍ଭର କରୁଥିବା ବେଳେ ପାଣି ଅଭାବରୁ ଦୈନନ୍ଦିନ ରୋଷେଇ ପାଇଁ ରୋଷେୟାଙ୍କୁ ବାରଦୁଆର ଯାଇ ପାଣି ମାଗିବାକୁ ପଡୁଛି। ବାସନଠୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ବନ୍ଧ ପାଣି ବ୍ୟବହାର କରାଯାଉଥିବା ଜଣାଯାଇଛି। ଅଙ୍ଗନୱାଡିକୁ ଲାଗି ଏନଏସି ପକ୍ଷରୁ ସର୍ବସାଧାରଣ ପାଇଁ ଉଠା ପରିଶ୍ରାଗାର ରହିଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବହୃତ ହେଉ ନ ଥିବା ପରିତ୍ୟକ୍ତ ପରିଶ୍ରାଗାରକୁ ପାଣି ସଂଯୋଗ କରାଯାଇଛି। ପରିତାପର ବିଷୟ ୨୫ଟି ପିଲାଙ୍କୁ ନେଇ ଦୈନନ୍ଦିନ ଚାଲୁଥିବା ଏହି ଅଙ୍ଗନୱାଡିରେ ୧ ବର୍ଷ ପାଣି ଅଭାବ ଦେଖାଦେଇଥିଲେ ମଧ୍ୟ ଏପରିକି ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଣି ପାଇବାରୁ ବଞ୍ଚିତ ହୋଇଛି। ପାଇଖାନା ଘରର ଅବସ୍ଥା ନ ଥିବାରୁ ଏହା ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଛି। ଫଳରେ ପିଲାମାନେ ସ୍ଥାନୀୟ ବନ୍ଧ ଉପରେ ନିର୍ଭର କରୁଛନ୍ତି। ଅବ୍ୟବସ୍ଥାରେ ଚାଲିଥିବା ଏହି କେନ୍ଦ୍ର ପ୍ରତି ବିଭାଗର ଶୁଭ ଦୃଷ୍ଟି ପଡ଼ୁ ନ ଥିବାବେଳେ ପ୍ରଶାସନର ମଧ୍ୟ ନଜର ନାହିଁ। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ହୃଷିକେଶ ମହାନ୍ତଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କୌଣସି ଅଭିଯୋଗ ପାଇନାହିଁ ବୋଲି କହିଥିବାବେଳେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବ।

Share