Categories: ଜାତୀୟ

ପାଣି ଟାଙ୍କି ଉପରୁ ଡେଇଁପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟାା

ଭୋପାଳ,୨୫।୯: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ବିଫଳ ହୋଇଛି। ସୂଚନାଯୋଗ୍ୟ, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ସାକ୍ଷୀ ତିଓ୍ବାରୀ(୧୭)। ସାକ୍ଷୀ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ। ମଙ୍ଗଳବାର ଦ୍ୱିପହରରେ ସାକ୍ଷୀ ଆତ୍ମହତ୍ୟା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ପାଣି ଟାଙ୍କି ଉପରେ ଚଢ଼ିଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିଲା। ଏଥିସହ ତଳେ ଜାଲ ମଧ୍ୟ ବିଛାଇଥିଲା। ଅନ୍ୟପଟେ ପାଣି ଟାଙ୍କି ଉପରକୁ ପୋଲିସ ଚଢ଼ିଲେ ସେ ତଳକୁ ଡେଇଁ ପଡ଼ିବେ ବୋଲି ଛାତ୍ରୀ ଜଣଙ୍କ ପୋଲିସକୁ ଧମକ ଦେଇଥିଲେ। କିନ୍ତୁ ପୋଲିସ ତାଙ୍କ କଥା ନ ଶୁଣି ଟାଙ୍କି ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ସାକ୍ଷୀ ତଳକୁ ଡେଇଁପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ପଛର କାରଣ ଏବେ ଜଣାପଡ଼ି ନ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share