ପାଣି ପିଇବା ସମୟରେ ମାନନ୍ତୁ ଏହି ୫ଟି କଥା, ରହିବେ ସୁସ୍ଥ

ଜଣେ ବୟସ୍କ ବ୍ୟକ୍ତି ଦିନକୁ ଦୁଇରୁ ଅଢ଼େଇ ଲିଟର ପାଣି ପିଇଲେ ସୁସ୍ଥ ରହି ପାରିବେ। କିନ୍ତୁ ଏହି ପାଣି ପିଇବାରେ ମଧ୍ୟ କିଛି ନିୟମ ରହିଛି। ଯାହାକୁ ମାନିଲେ ସୁସ୍ଥ ରହିପାରିବା। ଜାଣନ୍ତୁ…

ଠିଆ ହୋଇ ପାଣି ପିଅନ୍ତୁ ନାହିଁ : ପ୍ରତି ଦୁଇ ଘଣ୍ଟାରେ ଥରେ ପାଣି ପିଅନ୍ତୁ। କିନ୍ତୁ ପାଣି ପିଇବା ସମୟରେ କେବେ ଠିଆ ହୋଇ ପିଅନ୍ତୁ ନାହିଁ। ଆୟୁର୍ବେଦରେ ଠିଆ ହୋଇ ପାଣି ପିଇବା ପାଇଁ ବାରଣ ରହିଛି। ଠିଆ ହୋଇ ପାଣି ପିଇଲେ ଶରୀରର ନିୟନ୍ତ୍ରଣ ବିଗିଡ଼ି ଯାଇଥାଏ।
ଏକାଥରକେ ଅଧିକ ପାଣି ପିଅନ୍ତୁ ନାହିଁ : କିଛି ଲୋକ ଅଛନ୍ତି ଶୋଷ ହେଉଥିଲେ ଏକାଥରେ ଅଧିକ ପାଣି ପିଇ ଦିଅନ୍ତି। ଆଦୌ ଏପରି କରନ୍ତୁ ନାହିଁ। ଯେତିକି ପାଣି ପିଉଛନ୍ତି ଧୀରେ ଧୀରେ ପିଅନ୍ତୁ। ବହୁବାର ପିଅନ୍ତୁ।
ଖାଇବା ପୂର୍ବରୁ କିମ୍ବା ପରେ ପାଣି ପିଅନ୍ତୁ ନାହିଁ : ଖାଦ୍ୟ ଖାଇବା ପରେ ପାଚନ ଏନ୍‌ଜାଇମ୍‌ସ ମୁକ୍ତ ହୋଇଯାନ୍ତି। ତେଣୁ ସଙ୍ଗେ ସଙ୍ଗେ ପାଣି ପିଇଲେ ଖାଦ୍ୟ ଠିକ୍‌ରେ ହଜମ ହେବ ନାହିଁ। ଏହା ଅଭ୍ୟାସରେ ପରିଣତ ହୋଇଗଲେ ପେଟ ସମସ୍ୟା ଦେଖା ଦେଇଥାଏ। ଖାଇବାର ପ୍ରାୟ ୪୫ ମିନିଟ୍‌ ପରେ ପାଣି ପିଅନ୍ତୁ। ସେହିପରି ଲଞ୍ଚ କରିବାର ଅଧଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ।

ମୁହଁ ଲଗାଇ ପାଣି ପିଅନ୍ତୁ : କିଛି ଲୋକଙ୍କ ଅଭ୍ୟାସ ରହିଛି ପାଣି ବୋତଲ ଟେକି ପିଇବାରେ। ଏପରି କରିବା ଦ୍ୱାରା ଖୁବ୍‌ ଜୋରରେ ପାଣି ପେଟ ଭିତରକୁ ଯାଇଥାଏ ଏବଂ ପାଚନତନ୍ତ୍ରରେ କ୍ଷତି ପହଞ୍ଚାଇଥାଏ। ଗ୍ଲାସରେ ମୁହଁ ଲଗାଇ ପାଣି ପିଇଲେ ସ୍ବାସ୍ଥ୍ୟ ପାଇଁ ଭଲ।

ଘରର ତାପମାତ୍ରା ଅନୁସାରେ ପାଣି ପିଅନ୍ତୁ : ଅତ୍ୟଧିକ ଥଣ୍ଡା ପାଣି ନ ପିଇ ଘରର ତାପମାତ୍ରା ଅନୁସାରେ ପାଣି ପିଅନ୍ତୁ। ଏହା ଦ୍ୱାରା ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇଥାଏ। ଫ୍ରିଜ୍‌ ପାଣି ପିଇଲେ ପାଚନ ପ୍ରକ୍ରିୟାରେ ବାଧା ଉପୁଜିଥାଏ। ଗରମ ଦିନରେ ମାଠିଆପାଣି ପିଇଲେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।