ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନିଆରା ସ୍ଥାନ ଓ ଢ଼ଙ୍ଗରେ ପ୍ରପୋଜ୍‌ ମଧ୍ୟ କରିଥାନ୍ତି। ହେଲେ ବେଳେ ବେଳେ ତାଙ୍କର ଏହି ଉଦ୍ୟମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଲୁଇଜିଆନାରେ। ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ପାଣି ଭିତରେ ପ୍ରପୋଜ୍‌ କରିବାକୁ ଯାଇ ପାଣିରେ ବୁଡ଼ିବାରୁ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଲୁଇଜିଆନାର ପ୍ରେମିକା କେନେଶା ଏଣ୍ଟୋଇନ ଓ ପ୍ରେମିକ ଷ୍ଟିଭେନ ଓ୍ବେବେର ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିବା ବେଳେ ତଞ୍ଜାନିଆକୁ ଛୁଟି କାଟିବାକୁ ଯାଇଥିଲେ। ସେଠାରେ ଷ୍ଟିଭେନ କେନେଶାଙ୍କୁ ଭିନ୍ନ ଢ଼ଙ୍ଗରେ ବିବାହ ପାଇଁ ପ୍ରସ୍ତାବ ଦେବାକୁ ଚିନ୍ତା କରିଥିଲେ। ଏଥିପାଇଁ ଷ୍ଟିଭେନ ସ୍କୁବା ଡାଇଭିଂ କରି ପାଣି ଭିତରକୁ ପଶି ଏକ ପଲିଥିନରେ ହାତଲେଖା ଚିଠି ନେଇଥିଲେ। ସେଠାରେ ସେ କେନେଶାଙ୍କୁ ‘ଓ୍ବିଲ ୟୁ ମ୍ୟାରୀ ମି’ ଲେଖିବା ସହ ତାଙ୍କ ପାଇଁ ଏକ ମୁଦି ମଧ୍ୟ ଆଣିଥିଲେ। ଏହାପରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ସମୟର ଫଟୋ ଓ ଭିଡିଓକୁ କେନେଶା ଫେସବୁକ୍‌ରେ ଶେୟାର କରିବା ସହ ଭାବପ୍ରବଣତାର ଏକ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ପ୍ରିୟ ଷ୍ଟିଭେନ ବିବାହର ପ୍ରସ୍ତାବ ଦେଇ ଉତ୍ତର ନ ଶୁଣି ଚାଲିଗଲ। ମୁଁ କେବଳ ତୁମକୁ ବାହା ହେବାକୁ ଚାହେଁ କେବଳ ତୁମକୁ। ଏଥିପାଇଁ ମୁଁ ଆଉ ଗୋଟିଏ ଜନ୍ମକୁ ଅପେକ୍ଷା କରିବି ବୋଲି କେନେଶା କହିଛନ୍ତି।

Share