Categories: ମେଟ୍ରୋ

ପାଣ୍ଡରାରୁ ଲିଙ୍ଗିପୁର ହେବ ଆଲୋକୀକରଣ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଭୁବନେଶ୍ୱରରୁ ପୁରୀ ଯାଇଥିବା ଜାତୀୟ ରାଜପଥ ନଂ -୩୧୬ର ପାଣ୍ଡରାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଆଲୋକୀକରଣ ଏବଂ ଭୂତଳ କେବୁଲିଂ ହେବ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ଅନୁମତି ଦେଇଛନ୍ତି। ଆଲୋକୀକରଣ କରିବାବେଳେ ରାସ୍ତାର ମଧ୍ୟଭାଗ(ମିଡିଆନ)ରେ ଯାହା କ୍ଷତି ହେବ ସେଗୁଡ଼ିକୁ ବିଏମ୍‌ସି ନିଜ ଖର୍ଚ୍ଚରେ ମରାମତି କରିବ। ଆଲୋକୀକରଣ ବାବଦ ସମସ୍ତ ବିଦ୍ୟୁତ ଖର୍ଚ୍ଚ ଏବଂ ଭବିଷ୍ୟତରେ ରାସ୍ତା ସମ୍ପ୍ରସାରଣବେଳେ ଲାଇଟ ଖୁଣ୍ଟ ଓ କେବୁଲ ସ୍ଥାନାନ୍ତର ବାବଦ ସମସ୍ତ ଖର୍ଚ୍ଚ ମଧ୍ୟ ବିଏମ୍‌ସି ବହନ କରିବ। କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ମୁତାବକ ରାସ୍ତା ପାର୍ଶ୍ୱ ଆଲୋକୀକରଣ କରାଯିବ। ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ଏହି ରାସ୍ତାରେ ଆଲୋକୀକରଣ କରିବା ପାଇଁ ୨୦୧୯ ଫେବୃୟାରୀ ୨୮ ତାରିଖରୁ ଏନ୍‌ଏଚ୍‌ଏଆଇକୁ ବାରମ୍ବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଅନୁମତି ମିଳୁ ନ ଥିଲା। ଏକାମ୍ର ବିଧାୟକ ତଥା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନୂଆଦିଲ୍ଲୀଠାରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଆଲୋକୀକରଣ ପାଇଁ ଅନୁମତିି ମିଳିଛି।

Share