ପାଣ୍ଡ୍ୟାଙ୍କୁ କ୍ଲୁଜନରଙ୍କ ସହ ତୁଳନା କଲେ ଷ୍ଟିଭ୍‌ ଓ୍ବ

ଲଣ୍ଡନ, ୧୧।୬(ପି.ଟି.)- ପ୍ରାକ୍ତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ଭାରତୀୟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୁଳନା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନରଙ୍କ ୧୯୯୯ ବିଶ୍ୱକପ୍‌ ପ୍ରଦର୍ଶନ ସହ କରିଛନ୍ତି। ପାଣ୍ଡ୍ୟା ଯେଉଁଭଳି ଭାବରେ ବଡ଼ ଶଟ୍‌ମାନ ଖେଳୁଛନ୍ତି ବିପକ୍ଷ ଅଧିନାୟକଙ୍କ ପାଖରେ ତାଙ୍କୁ ରୋକିବାର କୌଣସି ଉପାୟ ନାହିଁ ବୋଲି ଓ୍ବ କହିଛନ୍ତି। ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଓଭାଲରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୨୭ ବଲ୍‌ରୁ ୪୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ଭାରତ ସ୍କୋର ୩୫୦ ଅତିକ୍ରମ କରିଥିବାବେଳେ ଅଷ୍ଟ୍ରେଲିଆ ୩୬ ରନରେ ଏହି ମ୍ୟାଚ୍‌ରେ ହାରି ଯାଇଥିଲା।
ଅଫିସିଆଲ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ସ୍ତମ୍ଭରେ ଓ୍ବ ଉଲ୍ଲେଖ କରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ଇନିଂସ ପ୍ରତିପକ୍ଷ ଟିମ୍‌କୁ ଚମକାଇ ଦେଇଛି। ୧୯୯୯ ବିଶ୍ୱକପ୍‌ ଖେଳିଥିବା ଲାନ୍ସ କ୍ଲୁଜନରଙ୍କ ସହ ଏହି ଖେଳାଳି ସମକକ୍ଷ ହୋଇପାରିବେ। ଅଧିକାଂଶ ଖେଳାଳି ନିଜ ଇନିଂସର ଶେଷ ଭାଗରେ ଯେଉଁଭଳି ବଡ଼ ଶଟ୍‌ ଖେଳିଥାନ୍ତି ପାଣ୍ଡ୍ୟା ନିଜ ଇନିଂସ ଆରମ୍ଭରୁ ସେହି ପ୍ରକାର ଶଟ୍‌ ଖେଳିବାର ଦକ୍ଷତା ରଖିଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରତିହତ କରିବା ପ୍ରତିପକ୍ଷ ଅଧିନାୟକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପାରେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ୪ଟି ଚୌକା ଓ ୩ ଛକା ମାରିଥିଲେ। ପାଣ୍ଡ୍ୟାଙ୍କ ଏହି ଇନିଂସ ଓ୍ବ’ଙ୍କୁ ୧୯୯୯ ବିଶ୍ୱକପ୍‌ରେ କ୍ଲୁଜନରଙ୍କ ବିସ୍ଫୋରକ ବ୍ୟାଟିଂକୁ ମନେ ପକାଇ ଦେଇଛି। ୨୦ ବର୍ଷ ତଳେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ କ୍ଲୁଜନର ନିମ୍ନକ୍ରମରେ ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ହାସଲ କରିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୨୨.୧୭ ଷ୍ଟ୍ରାଇକରେଟ୍‌ରେ ୨୮୧ ରନ୍‌ ସଂଗ୍ରହ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଥିଲା।

Share