Categories: ଖେଳ

‘ପାଣ୍ଡ୍ୟା, ରାହୁଲ ଫୁଟବଲରଙ୍କ ହେୟାର ଷ୍ଟାଇଲ ଆପଣାଇଛନ୍ତି’

ମୁମ୍ବାଇ,୧୩।୧୨(ପି.ଟି.)- ଏବେ କ୍ରିକେଟରମାନେ ତାରକା ଫୁଟବଲରଙ୍କ ଶୈଳୀରେ କେଶ ବିନ୍ୟାସ କରୁଛନ୍ତି ବୋଲି ଲା ଲିଗାର ନୂଆ ବ୍ରାଣ୍ଡ ଆମ୍ବାସାଡର ରୋହିତ ଶର୍ମା କହିଛନ୍ତି। ଲା ଲିଗାର ଅଗ୍ରଣୀ ଫ୍ରାଞ୍ଚାଇଜ୍‌ ରିୟଲ ମାଡ୍ରିଡ୍‌ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହେବା ପରେ ରୋହିତ ତାଙ୍କ ଫେଭରାଇଟ୍‌ ଫୁଟବଲର, ଦଳ ଓ କ୍ୱବ ସମ୍ପର୍କରେ ମତ ରଖିଥିଲେ। ଭାରତୀୟ ଦଳରେ ସାମିଲ ହୋଇଥିବା ଶ୍ରେୟାସ ଆୟାର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଯୁବ ଖେଳାଳି ଫୁଟବଲରମାନଙ୍କୁ ଅନୁସରଣ କରିଥାନ୍ତି ଓ ସେମାନଙ୍କ ଭଳି କେଶ ବିନ୍ୟାସ ମଧ୍ୟ କରିଥାନ୍ତି ବୋଲି ରୋହିତ କହିଛନ୍ତି। ରିୟଲ ମାଡ୍ରିଡ ହେଉଛି ମୋର ଫେଭରାଇଟ କ୍ଲବ ଓ ଜିଡାନ ହେଉଛନ୍ତି ମୋର ପ୍ରିୟ ଫୁଟବଲର ବୋଲି ରୋହିତ କହିଛନ୍ତି। ତେବେ ରିୟଲ ମାଡ୍ରିଡ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରୁ ବୋଲି ସେ ଚାହାନ୍ତି। ତେବେ ଫିଫା ବିଶ୍ୱକପ୍‌ରେ ସ୍ପେନ ତାଙ୍କର ଫେଭରାଇଟ ଦଳ ବୋଲି ସେ କୁହନ୍ତି। ଜିଡାନ, ରିୟଲ ମାଡ୍ରିଡ ଓ ସ୍ପେନ୍‌ ଯେଉଁଭଳି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି ତାହା ପ୍ରଶଂସନୀୟ। ଭାରତୀୟ କ୍ରିକେଟ ଦଳରେ ମହେନ୍ଦ୍ର ସିଂ ଧୋନୀ ଓ ଇଶାନ୍ତ ଶର୍ମା ଭଲ ଫୁଟବଲ ଖେଳିଥାନ୍ତି। ଗତ କିଛି ବର୍ଷରେ ଭାରତୀୟ ଫୁଟବଲ୍‌ରେ ବହୁତ ଉନ୍ନତି ହୋଇଛି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଆରମ୍ଭ ହେବାଠାରୁ ଭାରତୀୟ ଫୁଟବଲ୍‌ ବେଶ୍‌ କମ୍ପିଟେଟିଭ ହୋଇପାରିଛି ବୋଲି ସେ କହିଛନ୍ତି।

Share