ପାତାଳି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ

ଉଲୁଣ୍ଡା, ୪ା୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡ ବ୍ଲକ କୋଟସମଲାଇସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପୂର୍ବ ନିର୍ଘଣ୍ଟକ୍ରମେ ସକାଳ ୫ଟାରେ ଦ୍ୱାରଫିଟା, ୫ଟା୩୦ରେ ସୂର୍ଯ୍ୟପୂଜା, ୬ଟାରେ ମଙ୍ଗଳ ଆଳତୀ, ୭ଟାରେ ଖେଚୁଡି ଭୋଗ ଚତୁର୍ଦ୍ଧା ବିଗ୍ରହଙ୍କୁ ଲାଗି କରାଯଇଥିଲା। ସେହିପରି ୮ଟାରୁ ୯ଟା ମଧ୍ୟରେ ସେବାୟତମାନେ ବେଶ କରିଥିଲେ। ୯ଟା ବେଳେ ରଥ ପ୍ରତିଷ୍ଠା କରାଯାଇ ୧୦ଟାରେ ପହଣ୍ଡି କାର୍ଯ୍ୟକ୍ରମ କରାଯାଇଥିଲା। ରେଡମ ଗ୍ରାମର ଗୌନ୍ତିଆ ନରସିଂହ ପଧାନ ଓ ଗୋପାଳ ପଣ୍ଡା ପହଣ୍ଡି ଛେରାପହରା କରିଥିଲେ। ଗଡତିଆ ଚମରା ଅମାତ ତିନି ରଥରେ ଛେରାପହରା କଲାପରେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରାକ୍ରମେ ଏଥର ମଧ୍ୟ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ଅପରାହ୍ନ ପ୍ରାୟ ୩ଟାବେଳେ ଠାକୁର ଆଡପ ମଣ୍ଡପରେ ବିଜେ କରିଥିଲେ। ଗୁଣାକର ପଣ୍ଡା, ଦେବାର୍ଚ୍ଚନ ଦାସ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ନାଗଡେଇଁ, ତେଲିପାଲି, ଘିଚାପଲି, ବାଘପାଲି, ଖୁଂଟୁଲାପାଲି, ଘିକୁଣ୍ଡି, ମସିନାପାଲି, ଉଲୁଣ୍ଡା, ଗୌଡଗାଡ,କୋଟସମଲାଇ ଆଦି ଗ୍ରାମର ସେବାୟତମନେ ପହଣ୍ଡି କରିଥିବାବେଳେ ସୁବଳୟା, ପୁରୁଣାକଟକ ମହିଳା ସଂର୍କୀତନ, ଖୁଣ୍ଟୁଲାପାଲି, ଗଡଭିତର ଆଦି ଗ୍ରାମର କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ଘୋଷଯାତ୍ରା ସମୟରେ ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରାତ ଭୋଇ, ଏସପି ଦେବୀପ୍ରସାଦ ଦାସ, ବୀରମହାରାଜପୁର ଉପଜିଲାପାଳ ସୁବ୍ରତ ବେହେରା, ଏସ୍‌ଡିପିଓ ଧିରଜ ଚୋପଦାର, ଉଲୁଣ୍ଡା ତହସିଲଦାର ନୀଳାମ୍ବର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।