ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା

ଉଲୁଣ୍ଡା, ୧୨ା୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଛି। ସକାଳ ୫ଟାରେ ଦ୍ୱାର ଫିଟା, ୫.୩୦ରେ ସୂର୍ଯ୍ୟପୂଜା, ୬ଟାରେ ମଙ୍ଗଳ ଆଳତି, ୭ଟାରେ ଚତୁର୍ଦ୍ଧାବିଗ୍ରହଙ୍କୁ ଖେଚୁଡି ଭୋଗ ଲାଗି କରାଯାଇଥିଲା। ସେହିପରି ୮.୩୦ରୁ ୯.୩୦ଟା ପର୍ଯ୍ୟନ୍ତ ସେବାୟତମାନେ ଠାକୁରଙ୍କୁ ବେଶ କରିଥିଲେ। ପୂର୍ବାହ୍ନ ୯ା୩୦ରୁ ୧୦ା୩୦ ପର୍ଯ୍ୟନ୍ତ ଆଡପ ଆଳତି ଦିଆଯାଇଥିଲା। ପୂର୍ବାହ୍ନ ୧୧ରେ ବାହୁଡା ପହଣ୍ଡି କରାଯାଇଥିଲା। ଗୋପାଳ ପଣ୍ଡା ଏବଂ ନରସିଂହ ପଧାନ ପହଣ୍ଡ ଛେରାପହରା କରିଥିବାବେଳେ ଗୌନ୍ତିଆ ଚମରା ଅମାତ ତିନି ରଥରେ ଛେରାପହଁରା କଲାପରେ ରଥଟଣା ଆରମ୍ଭ ହୋଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ସେବାୟତମାନେ ପହଣ୍ଡି କରିଥିବାବେଳେ କୁକିଆ ଗାଁର ମହିଳା ସଂକୀର୍ତ୍ତନ ଏବଂ ଖୁଣ୍ଟୁଲାପାଲିର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପାତାଳି ଶ୍ରୀକ୍ଷେତ୍ର କଳା ପରିଷଦ ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ପଙ୍କଜ ସାହୁ ଏବଂ ସୁଧାଂଶୁ ଶେଖର ସେଠୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପୂର୍ଣ୍ଣଚନ୍ଦ୍ର ପାଢୀ।

Share