Categories: ଗଞ୍ଜାମ

ପାଦ ବିକୃତି ଚିକିତ୍ସା ପରେ ଘରକୁ ଫେରିଲେ ଶିଶୁ

ଫୁଲବାଣୀ ଅଫିସ,୨୬ା୧୨-ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ହୋଇଥିବା ପାଦ ବିକୃତି ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏମାନେ ଅନ୍ୟ ପିଲାଙ୍କ ଭଳି ସୁସ୍ଥ ଜୀବନଯାପନ କରି ପାରିବେ । ଗତ ୫ ତାରିଖରୁ ଏହି ଅସ୍ତ୍ରୋପଚାର ଶିବିର ହୋଇଥିଲା। ସେ ସମୟରେ ଜିଲାକୁ ଗସ୍ତରେ ଆସିଥିତ୍ବା ମନ୍ତ୍ରୀ, ସଚିବମାନେ ମଧ୍ୟ ମେଡିକାଲ ଯାଇ ଏହି ପିଲାମାନଙ୍କୁ ଦେଖିବା ସହ ସେମାନଙ୍କ ଆରୋଗ୍ୟ କାମନା କରିଥିଲେ ।
କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାର ୩୩ ଜଣ ଜନ୍ମଗତ ପାଦ ବିକୃତ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଶିବିର ଉଦ୍‌ଯାପନ ଦିବସରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଶିଶୁମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। କଟକ ଜିଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାନର ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଶିଶୁମାନଙ୍କର ବ୍ୟାଣ୍ଡେଜ୍‌ ଖୋଲାଯାଇଥିଲା । ଏହାପରେ ପୁନଃବ୍ୟାଣ୍ଡେଜ୍‌ କରାଯାଇ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପଦାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କ ଘରକୁ ପଠା ଯାଇଥିଲା । ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଏବଂ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ହାଇଜେନିକ୍‌ କିଟ୍‌, ଗରମ ପୋଷାକ, ଜୋତା ଆଦି ଶିଶୁମାନଙ୍କୁ ପ୍ରଦାନ କରାଯାଇଥିଲା । ୬ ସପ୍ତାହ ପରେ ସେମାନଙ୍କୁ ପୁଣିଥରେ ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରକୁ ଅଣାଯାଇ ବ୍ୟାଣ୍ଡେଜ୍‌ ଖୋଲାଯିବା ପରେ ଭୌତିକ ଚିକିତ୍ସା ପ୍ରଦାନ କରାଯିବ। ଏହାପରେ ସ୍ବତନ୍ତ୍ର ପଦ୍ଧତିରେ ନିର୍ମିିତ ହେବାକୁ ଥିବା ଜୋତା ମାପ ନିଆଯାଇ ତାହା ବିନାମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ଜିଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା ଜଣାଇଛନ୍ତି।