ପାନନୂଆଗାଁରେ ଗୋଷ୍ଠୀ ସଂଘର୍ଷ

ଖଲ୍ଲିକୋଟ,୧୮ା୧୦(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଡ଼ିମିରିଆ ପଞ୍ଚାୟତ ପାନନୂଆଗଁାରେ ବୁଧବାର ରାତିରେ କୋଠିଶାଳ ଯାତ୍ରା କୁମ୍ଭବୁଡ଼ା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନୁଯାୟୀ, ପାନନୂଆଗଁାରେ କୋଠିଶାଳ ଠାକୁରାଣୀ ଯାତ୍ରା ବୁଧବାର ଉଦ୍‌ଯାପିତ ହୋଇଥିଲା। ରାତ୍ରରେ କୁମ୍ଭ ବିସର୍ଜନ କରି ପୋଖରୀରୁ ଫେରିବା ସମୟରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ଏଥିରେ ଗ୍ରାମର ଏସ. ଦୀନବନ୍ଧୁ ପାତ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଅପରପକ୍ଷରେ ଚନ୍ଦ୍ରୁ ପାତ୍ରଙ୍କ ଭାଇବୋହୂ ଏମ୍‌. ରାମାଲୁ ପାତ୍ରଙ୍କ ହାତ ଭାଙ୍ଗିବା ସହ ଆହତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଛନ୍ତି। ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ୫ ଜଣଙ୍କୁ ଆଣି ଥାନାରେ ଅଟକ ରଖିଛନ୍ତି। ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଛି। ନଂ.୨୮୮/୧୯ରେ ମକଦ୍ଦମା ରୁଜୁ ହୋଇଛି। ଏହି ସଂଘର୍ଷରେ ୪ଟି ବାଇକ, ଟ୍ରାକ୍ଟର ମଧ୍ୟ ଭଙ୍ଗାରୁଜା ହୋଇଛି। ପୂର୍ବରୁ ଏପରି ସଂଘର୍ଷରେ ୮ ଜଣ ଆହତ ହୋଇ ଉଭୟ ପକ୍ଷରୁ କୋର୍ଟଚାଲାଣ ହୋଇଥିଲେ। ଗୋଟିଏ ପକ୍ଷରୁ ଏମ୍‌. ଚନ୍ଦ୍ରୁ ପାତ୍ର ଏତଲା
ଦେଇଥିବା ବେଳେ ଅପରପକ୍ଷରୁ ଏସ୍‌. କାମେଶ୍ୱର ପାତ୍ର ଏତଲା ଦେଇଛନ୍ତି।