‘ପାନି’ରୁ ସୁଶାନ୍ତଙ୍କୁ କାଢ଼ିଥିଲା ୟଶରାଜ ଫିଲ୍ମସ୍‌, ଏବେ ମୁମ୍ବାଇ ପୋଲିସ ହାତରେ ଦସ୍ତାବିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ପୋଲିସ ଯାଞ୍ଚ ଜାରି ରଖିଛି। ସମସ୍ତ ଦିଗରୁ ପୋଲିସ ଏହି ଯାଞ୍ଚ କରୁଛି। ସୁଶାନ୍ତଙ୍କ କ୍ୟାରିୟରକୁ ନେଇ ମଧ୍ୟ ପୋଲିସ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ାଇଛି। ଏହି ଯାଞ୍ଚରେ ୟଶରାଜ ଫିଲ୍ମ ସହିତ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ଏହା ପରେ ୟଶରାଜ ଫିଲ୍ମସ୍ ପକ୍ଷରୁ ଶନିବାର ସୁଶାନ୍ତଙ୍କ ସାଇନ୍‌ କରିଥିବା ଅପ୍‌କମିଂ ପ୍ରୋଜେକ୍ଟକୁ ନେଇ ମୁମ୍ବାଇ ପୋଲିସକୁ ଦସ୍ତାବିଜ୍‌ ଦିଆଯାଇଛି। ଫିଲ୍ମ ‘କାଇ ପୋ ଚେ’ ଏବଂ ‘ମହେନ୍ଦ୍ର ସିଂ ଧୋନୀ’ଙ୍କ ବାୟୋପିକ୍‌ ଫିଲ୍ମକୁ ନେଇ ସୁଶାନ୍ତ ବେଶ୍‌ ପରିଚିତ। ଗତ ରବିବାର ନିଜ ଘରେ ସେ ଆତ୍ମହତ୍ୟା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇନାହିଁ। ପୋଲିସ ପ୍ରଥମେ ୟଶରାଜ ଫିଲ୍ମକୁ ଏକ ଚିଠି ପଠାଇଥିଲା। ଏଥିରେ ସୁଶାନ୍ତଙ୍କ ସହ ଥିବା ସମ୍ପର୍କ ଜାଣିବାକୁ ଚାହିଁଥିଲା। ଡିସିପି ଅଭିଷେକ ତ୍ରିମୁଖ କହିଛନ୍ତି, ତଦନ୍ତ ଅଫିସରଙ୍କୁ ଏକ କପି ମିଳିଛି। ଯେଉଁଥିରେ ସୁଶାନ୍ତ ସାଇନ୍‌ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ ୧୫ ଜଣଙ୍କ ବୟାନ ରେକର୍ଡ କରିଛି। ଯେଉଁଥିରେ ତାଙ୍କ ପରିବାର ସଦସ୍ୟ, ଷ୍ଟାଫ୍‌, ବନ୍ଧୁ ରିଆ ଚକ୍ରବର୍ତ୍ତୀ ଏବଂ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନାମ ରହିଛି। ତଦନ୍ତ ପରେ ଗୁମର ଫିଟିବ ବୋଲି ପୋଲିସ କହିଛି।
ସୁଶାନ୍ତ ୟଶରାଜ ବ୍ୟାନରରେ ଦୁଇଟି ଫିଲ୍ମରେ କାମ କରିଛନ୍ତି। ତାଙ୍କର ତୃତୀୟ ଫିଲ୍ମ ‘ପାନି’କୁ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ରୋକା ଯାଇଥିଲା। ଏହି ଫିଲ୍ମରୁ ସୁଶାନ୍ତଙ୍କୁ କାହିଁକି କଢ଼ା ଯାଇଥିଲା ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି।

Share