ପାନୀୟଜଳ ପ୍ରକଳ୍ପ ଅକାମୀ : ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ହଇରାଣ

ତେଲକୋଇ, ୨୬।୫(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନ ଏସ.ଏନ.ପୁରଗୋଡା ରେ ପାନୀୟଜଳ ସମସ୍ୟା ଉକତ୍ଟ ରହିଛି । ଦୀର୍ଘ ୫ବର୍ଷ ପୂର୍ବରୁ ହୋଇଥିବା ଓଭରହେଡ ଟାଙ୍କି ସମେତ ବିଭିନ୍ନ ଗ୍ରାମକୁ ସ୍ବଜଳଧାରା ଯୋଜନା ବିଫଳ ହୋଇଛି । ସ୍ବଜଳଧାରା ଯୋଜନାରେ ଏହି ପଞ୍ଚାୟତ ମୁଖ୍ୟାଳୟରେ ୩ହଜାରରୁ ଊର୍ଦ୍ଧ୍ୱ ପରିବାର ପାଇଁ ଏହି ଓଭରହେଡ ଟାଙ୍କି କରାଯାଇଥିଲା। ତେବେ ବିଭାଗୀୟ ଅବହେଳା ଯୋଗୁ ତଳ ମୁଣ୍ଡରେ ଉକ୍ତ ଟାଙ୍କି ନିର୍ମାଣ ଯୋଗୁ ଉପରମୁଣ୍ଡର ୭୦ପ୍ରତିଶତ ଲୋକେ ଏବେ ସମାକୋଇ ନଦୀରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଯୋଜନାରେ ସ୍ବଜଳଧାରା ପାଇଁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ସମ୍ପୃକ୍ତ ପଞ୍ଚାୟତର ୩ହଜାରରୁ ଅଧିକ ପରିବାରକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ ଏହି ଯୋଜନା ଗତ ୨୦୧୪ ମସିହାରୁ ସମ୍ପୂର୍ଣ୍ଣ କରାଯାଇଥିଲେ ହେଁ ବର୍ତ୍ତମାନ ପଞ୍ଚାୟତ ମୁଖ୍ୟାଳୟରେ ପାନୀୟଜଳ ଲାଗି ସମସ୍ୟା ସୃଷ୍ଟି କରିଛି। ପଞ୍ଚାୟତର ବୁଦ୍ଧିଜୀବୀ ଶରତ ପହିଙ୍କ କହିବାନୁଯାୟୀ ସରକାରଙ୍କ ଯୋଜନା ବିଫଳ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ଅଭିଯୋଗ ଆସିବା ପରେ କାହିଁକି ପାନୀୟଜଳ ଯୋଗାଣ ହୋଇପାରୁ ନାହିଁ ସେନେଇ ତଦନ୍ତ ଆରମ୍ଭ କରାଯାଇଥିବା ସେ କହିଛନ୍ତି।