ପାନୀୟ ଜଳ ପାଇଁ ଯିବାକୁ ପଡ଼ୁଛି ୧ କି.ମି.

ଚମ୍ପୁଆ, ୧୫ା୫(ଡି.ଏନ.ଏ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତ ମଝିସାହି ବାସିନ୍ଦାଙ୍କ ପାଇଁ ବଇରୀ ସାଜିଛି ଗାଁ ନଳକୂପ। ପାନୀୟ ଜଳ ପାଇଁ ପ୍ରାୟ ୧ କି.ମି. ଦୂର ଯାଇ ସଂଗ୍ରହ କରିବାକୁ ପଡୁଛି। ପାରଦ ୪୨ ଡିଗ୍ରୀ ଛୁଇଁଥିବା ବେଳେ କୂଅ, ପୋଖରୀଗୁଡ଼ିକର ଜଳସ୍ତର ପ୍ରାୟତଃ ହ୍ରାସ ହୋଇ ସାରିଲାଣି। ଖବର ଅନୁସାରେ ମଝିସାହିରେ ପ୍ରାୟ ୧୦୦ରୁ ଅଧିକ ଲୋକ ବସବାସ କରିଆସୁଛନ୍ତି। ଏମାନଙ୍କ ବ୍ୟବହାର ପାଇଁ ଗ୍ରାମରେ ଥିବା ନଳକୂପଟି ଦୀର୍ଘ ଦିନ ହେବ ଖରାପ ହୋଇପଡିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ବ୍ୟବସ୍ଥା କରାଯାଉ ନ ଥିବାରୁ ବାଧ୍ୟ ହୋଇ ମଝିସାହି ବାସିନ୍ଦାମାନେ ପାନୀୟ ଜଳ ସଂଗ୍ରହ ପାଇଁ ପ୍ରାୟ ୧ କି.ମି. ଦୂର ବସାସାହି ଯାଉଛନ୍ତି। ଏଥିଲାଗି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।