ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧: ଅନୁଗୋଳ ଜିଲାର ସହରାଞ୍ଚଳର ପାନୀୟ ଜଳ ଯୋଗାଣ, ଆବର୍ଜନ ପରିଚାଳନା, ମୋ ଜାଗା ମିଶନ, ଭେଣ୍ଡିଂଜୋନ ବ୍ୟବସ୍ଥା ନେଇ ରବିବାର ପୂର୍ବାହ୍ନରେ ସର୍କିଟ ହାଉସ୍‌ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗଦେଇ ଅନୁଗୋଳ, ତାଳଚେର ପୌରାଞ୍ଚଳ ସମେତ ଆଠମଲ୍ଲିକ ଏସ୍‌ଏସିର ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଅନୁଗୋଳ ପୌରାଞ୍ଚଳ ପାଇଁ ଦୈନିକ ୭.୪ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ୭.୨ ମିଲିୟନ ଲିଟର ପାଣି ଯୋଗାଇ ଦିଆଯାଉଛି। ସେହିପରି ତାଳଚେର ପାଇଁ ୭.୧ ମିଲିୟନ ଲିଟର ସ୍ଥାନରେ ୭ ମିଲିୟନ ଲିଟର ଆଠମଲ୍ଲିକ ଏନ୍‌ଏସି ପାଇଁ ୨ ମିଲିୟନ ଲିଟର ସ୍ଥାନରେ ୧.୯ ମିଲିୟନ ଲିଟର ପାଣି ଉପଲବ୍ଧ ହେଉଛି। ଚଳିତ ବର୍ଷ ସହରାଞ୍ଚଳର ସବୁ ଘରକୁ ଜଳ ସଂଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପାଣିର ଅପବ୍ୟବହାରକୁ ରୋକିବା ପାଇଁ ସ୍କ୍ବାଡ୍‌ ଗଠନ କରାଯିବ। ସବୁ ଘରକୁ ଆବଶ୍ୟକ ପରିମାଣ ଜଳ ଯୋଗାଣ ହେବ। ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ପମ୍ପ ଚଲାଇବାରୁ ନିବୃତ୍ତ ନ ରହିଲେ ସଂଯୋଗ କାଟି ଦିଆଯିବ। ସେହିପରି ଅଳିଆ ଆବର୍ଜନା ନିଷ୍କାସନ ସହ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ପରାମର୍ଶ ଦିଆଯାଇଛି। ପୋଲିସ ସହାୟତାରେ ଏକ ତଦାରଖ ଦଳ ଗଠନ କରି ପଲିଥିନ ବିକୁଥିବା ଦୋକାନ ଉପରେ ଚଢ଼ାଉ କରିବା ସହ କେବୁଲ ଟିଭି ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆବର୍ଜନା ନିଷ୍କାସନ ପାଇଁ ପ୍ରତି ପୌରାଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରର କାର୍ଯ୍ୟକାରିତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ଉପବାଚସ୍ପତି ପରାମର୍ଶ ଦେଇଛନ୍ତି।
ଜାଗା ମିଶନରେ ବସ୍ତି ବାସିନ୍ଦାମାନଙ୍କୁ ୩୨୩ ସ୍କୋୟାର ଫୁଟ ଜାଗା ମାଗଣାରେ ପ୍ରଦାନ କରାଯାଉଛି। ଏହାବ୍ୟତୀତ ଭେଣ୍ଡିଂ ଜୋନ, ସହରାଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ସମ୍ପର୍କରେ ଉପବାଚସ୍ପତି ସମୀକ୍ଷା କରିଥିଲେ। ସହରର ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ ଭାବେ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲାପାଳ ମନୋଜ କୁମାର ମହାନ୍ତି, ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା, ୩ ସହରାଞ୍ଚଳର କର୍ମକର୍ତ୍ତା ଉପସ୍ଥିତ ଥିଲେ।