ପାନୀୟ ଜଳ ଯୋଗାଣ ବନ୍ଦ: ଲୋକେ ହନ୍ତସନ୍ତ

କୋରୁକୋଣ୍ଡା,୧୭।୨(ଡି.ଏନ୍‌ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପାଞ୍ଚାୟତସ୍ଥିତ ସାରଦାଗୁଡ଼ ଗ୍ରାମର ପ୍ରାୟ ୭୦ ପରିବାରର ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଦୁଇ ବର୍ଷ ପୂର୍ବେ ଗ୍ରାମରେ ସୋଲାର ପ୍ରକଳ୍ପ ନିର୍ମାଣ କରଯାଇଥିଲା। କିଛି ମାସର ବ୍ୟବହାର ପରେ ଏହା ଅଚଳ ହୋଇପଡ଼ିଥିଲା। ପ୍ରଶାସନ ତାହାକୁ ମରାମତି କରିଥିଲେ। ମାତ୍ର ଏହା ପୂର୍ବ ପରି ଅଚଳ ହୋଇଥିଲା। କିନ୍ତୁ ପ୍ରକଳ୍ପ ଅଚଳ ହେବାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ସ୍ଥାୟୀ ସମାଧାନ କରାଯାଉ ନ ଥିବା ଓ୍ବାର୍ଡମେମ୍ବର କସା ମାଢ଼ି ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ସମାଧାନ ହୋଇ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସୋଲାର ଟାଙ୍କିକୁ ପାଣି ଯୋଗାଉଥିବା ନଳକୂପ ମଧ୍ୟ ଅଚଳ ହୋଇପଡ଼ିଛି। ଆଗକୁ ଖରାଦିନ ଆସୁଥିବାରୁ ପ୍ରକଳ୍ପ ସଚଳ କରା ନ ଗଲେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରିବ। ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।