ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ଡିସେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ସଂଯୋଗ କରାଇବା ଅବଧିକୁ ଚଳିତ ବର୍ଷ ୩୧ ଡିସେମ୍ବର ଯାଏ ବଢାଯାଇଛି। ଏହାର ଲିଙ୍କ୍‌ କରାଇବା ନେଇ ଶେଷ ସୀମା ସେପ୍ଟେମ୍ବର ୩୦ ଥିବାବେଳେ ଏହାକୁ ବଢାଯାଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୧୦ ସଂଖ୍ୟା ବିଶିଷ୍ଟ ପାନ୍‌କୁ ଆୟକର (ଆଇଟି) ବିଭାଗ ଏବଂ ୧୨ ସଂଖ୍ୟା ବିଶିଷ୍ଟ ଆଧାର କାର୍ଡ ୟୁନିକ୍‌ ଆଇଡେଣ୍ଟିଫିକେଶନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଜାରି କରିଥାନ୍ତି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପାନ୍‌-ଆଧାର ସଂଯୋଗ କରାଇ ନାହାନ୍ତି ସେମାନେ ଆଇଟି ଓ୍ବେବସାଇଟକୁ ଯାଇ କିମ୍ବା ଏସ୍‌ଏମ୍‌ଏସ୍‌ ଦ୍ୱାରା କରାଇପାରିବେ। ଲିଙ୍କ୍‌ ବେଳେ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ କ୍ଷେତ୍ରରେ ଯେଭଳି କୌଣସି ଅସଙ୍ଗତି ନ ରହେ ତାହା ଦେଖିବାକୁ କୁହାଯାଇଛି। ୨ କାର୍ଡ ମଧ୍ୟରୁ ଯେକୌଣସିଟିରେ ଭୁଲ ରହିଥିଲେ ଏହାକୁ ସୁଧାରିବା ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ପାନ୍‌ ସହ ଆଧାର ଲିଙ୍କ ନ ହେଲେ ଲୋକମାନେ ଏହାକୁ ଆର୍ଥତ୍କ ନେଣଦେଣ କ୍ଷେତ୍ରରେ ବ୍ୟବହାର କରିପାରିବେ ନାହିଁ। ଏଣୁ ବିଭିନ୍ନ ପ୍ରସଙ୍ଗକୁ ଭଲ ଭାବେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି। ଆୟକର ବିଭାଗ ଇ-ଫାଇଲିଂ ତଥ୍ୟ ମୁତାବକ ମୋଟ ୮.୪୭ କୋଟି ପଞ୍ଜୀକୃତ ୟୁଜରଙ୍କ ମଧ୍ୟରୁ ୬.୭୭ କୋଟି ସେମାନଙ୍କ ପାନ୍‌ ଆଧାର ସହ ଲିଙ୍କ୍‌ କରାଇସାରିଛନ୍ତି। ମାର୍ଚ୍ଚ ୩୧ର ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତି ମୁତାବକ, ଆୟକର ବିଭାଗ ଲାଗି ନୀତି ନିର୍ଦ୍ଧାରଣ କରୁଥିବା ସର୍ବୋଚ୍ଚ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପାନ-ଆଧାର ସଂଯୋଗ ନେଇ ସ୍ପଷ୍ଟୀକରଣ ଦେଇଥିଲା। ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଲିଙ୍କ ଅବଧିକୁ ଅର୍ଥ ମନ୍ତ୍ରଣାଳୟ ବୃଦ୍ଧି କରିଛି।

Share