Categories: ଜାତୀୟ

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’ ବା ଗ୍ରାମ ପ୍ରଧାନଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ମଧ୍ୟ ନାଗରିକତ୍ୱର ପ୍ରମାଣ ନୁହେଁ ବୋଲି ଗୁଆହାଟୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହୋଇଛି। ଏଥିରୁ ବାଦ୍‌ ପଡ଼ିଥିବା ଲୋକେ ନିଜ ନାଗରିକତ୍ୱ ସପକ୍ଷରେ ଫରେନର୍ସ ଟ୍ରିବ୍ୟୁନାଲରେ ଆବେଦନ କରି ଉପଲବ୍ଧ ଦସ୍ତାବିଜ ଦାଖଲ କରୁଛନ୍ତି। ଏହି କ୍ରମରେ ଜାବେଦା ବେଗମ୍‌ ନାମ୍ନୀ ଜଣେ ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦସ୍ତାବିଜଗୁଡ଼ିକୁ ଟ୍ରିବ୍ୟୁନାଲ ଗ୍ରହଣ ନ କରିବାରୁ ସେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ମନୋଜିତ୍‌ ଭୂୟାଁ ଏବଂ ପି. ଜେ. ସାଇକିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଜାବେଦା ଦାଖଲ କରିଥିବା ଦସ୍ତାବିଜ ତାଙ୍କ ବାପା ଓ ଭାଇଙ୍କ ସହ ସମ୍ପର୍କକୁ ପ୍ରମାଣିତ କରୁ ନ ଥିବାରୁ ସେଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ବକ୍‌ସା ଜିଲାସ୍ଥିତ ଫରେନର୍ସ ଟ୍ରିବ୍ୟୁନାଲ ନାଗରିକତ୍ୱ ପ୍ରମାଣ ଲାଗି ଜାବେଦାଙ୍କୁ ଏକ ନୋଟିସ ଜାରି କରିଥିଲେ। ସେ ଟ୍ରିବ୍ୟୁନାଲରେ ହାଜର ହୋଇ ୧୪ଟି ଦସ୍ତାବିଜ ଦାଖଲ କରିବା ସହ ଜନ୍ମଗତ ଭାବେ ଭାରତୀୟ ନାଗରିକ ବୋଲି ନିଜକୁ ଦାବି କରିଥିଲେ। ସେହି ଦସ୍ତାବିଜଗୁଡ଼ିକ ମଧ୍ୟରେ ରହିଛି ପାନ୍‌ କାର୍ଡ, ରାଶନ କାର୍ଡ, ଦୁଇଟି ବ୍ୟାଙ୍କ ପାସ୍‌ବୁକ୍‌, ଅନେକ ଜମି ଖଜଣା ରସିଦ ଏବଂ ତାଙ୍କ ବାପା ଜାବେଦ୍‌ ଅଲିଙ୍କ ଏନ୍‌ଆର୍‌ସି ତଥ୍ୟ। ଏହାସହ ସେ ନିଜ ତଥା ସ୍ବାମୀ, ମା’ବାପା ଓ ଆଈଅଜାଙ୍କ ନାମ ଉଲ୍ଲେଖ ଥିବା ଭୋଟର ତାଲିକାର ନକଲ ମଧ୍ୟ ଦାଖଲ କରିଥିଲେ। ତେବେ ଗାଁ ମୁଖ୍ୟ ଜଣେ ବ୍ୟକ୍ତିଙ୍କ ନାଗରିକତ୍ୱ ସପକ୍ଷରେ ପ୍ରମାଣପତ୍ର ଦେବା ପାଇଁ ଯୋଗ୍ୟ ନୁହନ୍ତି। ବ୍ୟାଙ୍କ ଦସ୍ତାବିଜଗୁଡ଼ିକ ମଧ୍ୟ ତାଙ୍କର ବୋଲି ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ଦର୍ଶାଇ ଟ୍ରିବ୍ୟୁନାଲ ସେଗୁଡ଼ିକୁ ଗ୍ରହଣ କରି ନ ଥିଲେ। ଜାବେଦା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ହେଲେ ହାଇକୋର୍ଟ ମଧ୍ୟ ଏହିସବୁ ଦସ୍ତାବିଜକୁ ନାଗରିକତ୍ୱ ପ୍ରମାଣ ପାଇଁ ବୈଧ ନୁହେଁ ବୋଲି ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ୨୦୧୬ରେ ମଧ୍ୟ ଗୁଆହାଟୀ ହାଇକୋର୍ଟ ଅନ୍ୟ ଏକ ମାମଲାରେ ପାନ୍‌ କାର୍ଡ ଓ ବ୍ୟାଙ୍କ ଦସ୍ତାବିଜକୁ ନାଗରିକତ୍ୱର ପ୍ରମାଣ ନୁହେଁ ବୋଲି ରାୟ ଦେଇଥିଲେ।

Share