ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ରାଜସ୍ଥାନ ଓ ଝାଡ଼ଖଣ୍ଡ ସରକାର ପାନ, ଗୁଟ୍ଖା ବିକ୍ରି ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷିଦ୍ଧ କରିଛନ୍ତି। ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଅନୁରୂପ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ନିବେଦନ କରିଛନ୍ତି। ସବୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି ହର୍ଷବର୍ଦ୍ଧନ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାନ, ଗୁଟ୍ଖା ଖାଉଥିବା ଲୋକମାନଙ୍କର ଅଭ୍ୟାସ। ସେମାନଙ୍କର ଏହି ଖରାପ ଅଭ୍ୟାସ କେବଳ କରୋନା ନୁହେଁ, ଯକ୍ଷ୍ମା, ସ୍ବାଇନ୍ ଫ୍ଲୁ, ଏନ୍ସେଫାଲାଇଟ୍ସ ଆଦି ରୋଗ ସଂକ୍ରମଣର କାରଣ ହୋଇଥାଏ। ଧୂମହୀନ ତମାଖୁର ବ୍ୟବହାର ଏକ ଅସ୍ବାସ୍ଥ୍ୟକର ବାତାବରଣ ସୃଷ୍ଟି କରିଥାଏ। ଏହିସବୁ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଆଗରେ ଭିଡ଼ ଜମୁଥିବାରୁ ତାହା କୋଭିଡ୍-୧୯ ସଂକ୍ରମଣର ଅନ୍ୟତମ କାରଣ ମଧ୍ୟ ହୋଇଥାଏ। ତମାଖୁ ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ ଏହା ବ୍ୟବହାର ନ କରିବା ଓ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଜନସାଧାରଣଙ୍କୁ ଅନୁରୋଧ କରିଆସୁଛି। ଛେପ ପକାଇବାକୁ ନିଷିଦ୍ଧ କରାଗଲେ ସ୍ବଚ୍ଛ ଭାରତ ସହିତ ସୁସ୍ଥ ଭାରତ ଗଠନରେ ସହାୟକ ହୋଇପାରିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।