Categories: ବାଣିଜ୍ୟ

ପାପଡ, ମହୁ ଖଦୀ ଆୟୋଗର ବିକ୍ରି ବଢ଼ାଇଛି ୨୫%

ନୂଆଦିଲ୍ଲୀ,୧୭ -୮: କାରବାରରେ ମାନ୍ଦାବସ୍ଥା ଦେଖାଦେଇଥିବା ନେଇ ବ୍ୟବସାୟୀ ଗୋଷ୍ଠୀ ଅଭିଯୋଗ କରିଆସୁଛନ୍ତି। କିନ୍ତୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ଏହାର ଠିକ୍‌ ଓଲଟା କହୁଛି। ଗତ ଆର୍ଥିକ ବର୍ଷରେ ଆୟୋଗର ବିକ୍ରି ୨୫% ବଢ଼ି ୭୫ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଏହି ରାଷ୍ଟ୍ରାୟତ୍ତ କମ୍ପାନୀ ବିକ୍ରି ବୃଦ୍ଧିରେ ପାପଡ, ମହୁ ଓ କସ୍‌ମେଟିକ୍ସର ସବୁଠାରୁ ବଡ଼ ଯୋଗଦାନ ରହିଛି। ଆର୍ଥିକ ବର୍ଷ ୨୦୧୭-୧୮ରେ କମ୍ପାନୀର ବିକ୍ରି ୧୩% ବଢ଼ିଥିଲା। ତେବେ କମ୍ପାନୀର ଶୁଦ୍ଧ ଲାଭ ମାତ୍ର ୧୫ କୋଟି ଟଙ୍କା ହୋଇଥିଲା। ବଜାରରେ କାରବାର କରୁଥିବା ଅନ୍ୟ କମ୍ପାନୀଙ୍କ ସହ ତୁଳନା କଲେ କେଭିଆଇସିର ବିକ୍ରି ଦେଶର ସର୍ବବୃହତ କଞ୍ଜ୍ୟୁମର ଗୁଡ଼୍ସ ବିକ୍ରି କରୁଥିବା କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭରଠାରୁ ଦୁଇଗୁଣା ହୋଇଛି। ଗତବର୍ଷ ୟୁନିଲିଭର ବିକ୍ରି ୩୮ ହଜାର କୋଟି ଟଙ୍କା ଥିଲା। ତେବେ ଏହାର ଲାଭ କେଭିଆଇସି ଠାରୁ ୪୦୦ ଗୁଣ ଅଧିକ ହୋଇ ୬ ହଜାର କୋଟି ଟଙ୍କା ହୋଇଛି। ୨୦୧୮-୧୯ରେ ବାର୍ଷିକ ଆୟକୁ ହିସାବକୁ ନେଇ କେଭିଆଇସିକୁ ଦେଶର ଶୀର୍ଷ ୨୫ ତାଲିକାଭୁକ୍ତ କମ୍ପାନୀଙ୍କ ସହ ତୁଳନା କଲେ ଜଣାପଡୁଛି ଯେ, ଏହା ଭାରତୀ ଏୟାରଟେଲ(୮୧ ହଜାର କୋଟି ଟଙ୍କା) ଠାରୁ ସାମାନ୍ୟ କମ୍‌ ଏବଂ ଗ୍ରାସିମ ଇଣ୍ଡଷ୍ଟ୍ରିଜ(୭୨,୯୭୦ କୋଟି ଟଙ୍କା)ଠାରୁ ସାମାନ୍ୟ ଅଧିକ ରହିଛି। କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍ସେନାଙ୍କ କହିବାନୁଯାୟୀ, ଘରୋଇ ଓ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ସହ ପାର୍ଟନରସିପ୍‌ କରିବା ଏବଂ ମୋଦି ସରକାରଙ୍କ ନୀତିର ସହାୟତା ଯୋଗୁ କମ୍ପାନୀର ବିକ୍ରି ଗତ ୫ ବର୍ଷର ଦୁଇଗୁଣା ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଗ୍ରାମୀଣ ଉଦ୍ୟୋଗ କ୍ଷେତ୍ରର ବିକ୍ରି ୨୦ ବୃଦ୍ଧି କରିବାକୁ ଟାର୍ଗେଟ କରିଛି। ତାଙ୍କ ମତରେ ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ବିକ୍ରି ୮୫ ହଜାର କୋଟି ଟଙ୍କା ଟପିଯିବ ବୋଲି ଅନୁମାନ କରାଯାଉଛି। ସେହିପରି ଖଦି ବିକ୍ରି ୫୦ ପ୍ରତିଶତ ବଢ଼ି ୫ ହଜାର କୋଟି ଟଙ୍କାରେ ପହଞ୍ଚତ୍ୟିବ।

Share