ପାରଦ ଟପିଲା ୪୦ ଡିଗ୍ରୀ: ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୩୯.୫, ଟିଟିଲାଗଡ ୩୮, ବଲାଙ୍ଗୀର ୩୮.୫, କଟକ ୩୭, ଭୁବନେଶ୍ୱର ୩୬.୬ ଏବଂ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତାତି ସାଙ୍ଗକୁ ଝାଞ୍ଜି ପବନ ପରିବେଶକୁ ଉତ୍ତପ୍ତ କରିଛି।
ବିହାର ଏବଂ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ରାୟଗଡା, କନ୍ଧମାଳ, ଗଜପତି, କୋରାପୁଟ, ପୁରୀ, ଖୋର୍ଦ୍ଧା, ଅନୁଗୋଳ, କଟକ, ଜଗତ୍‌ସିଂହପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share